ସିନାପାଲି, (ବ୍ୟୁରୋ) : ସିନାପାଲିକୁ ନଗର ଅଞ୍ଚଳ କମିଟି (NAC) ରୂପେ ଗଠନ କରିବା ନେଇ ପ୍ରକ୍ରିୟା ଚାଲୁଥିବା ବେଳେ, ବିଧାନସଭାରେ ଏହା ସମ୍ପର୍କରେ ସରକାର ପକ୍ଷରୁ ସ୍ପଷ୍ଟତା ଆସିଛି। ବିଧାନସଭା ପ୍ରଶ୍ନ ସଂଖ୍ୟା ୩୮୪୦ ଉପରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ଉତ୍ତର ଦେଇ କହିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷରେ ନୂତନ NAC କିମ୍ବା ମୁନିସିପାଲିଟି ଗଠନ ପାଇଁ ସରକାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ନୀତିଗତ ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ। ତଥାପି, ଗତ ୦୬ ଅକ୍ଟୋବର ୨୦୨୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସିନାପାଲିକୁ NAC ଭାବେ ଘୋଷଣା କରାଯାଇଥିବା କଥା ସେ ଉଲ୍ଲେଖ କରିଛନ୍ତି।
ଜିଲ୍ଲାପାଳଙ୍କ ପ୍ରାରମ୍ଭିକ ପ୍ରସ୍ତାବ ଅନୁଯାୟୀ ୩ଟି ଗ୍ରାମ ପଞ୍ଚାୟତର ୭ଟି ରାଜସ୍ୱ ଗ୍ରାମକୁ ସମ୍ମିଳିତ କରିବା ଯୋଜନା ଥିଲା। କିନ୍ତୁ ପରେ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ୨ଟି ଗ୍ରାମ ପଞ୍ଚାୟତର ୧୦ଟି ରାଜସ୍ୱ ଗ୍ରାମକୁ ଅନ୍ତର୍ଭୁକ୍ତ କରିବାକୁ ସମ୍ମତି ମିଳିଥିବାରୁ ପ୍ରସ୍ତାବରେ ପରିବର୍ତ୍ତନ ଆସିଛି। ଏହା ପରେ ଓଡ଼ିଶା ପୌର ଅଧିନିୟମ, ୧୯୫୦ ଅନୁଯାୟୀ ପ୍ରସ୍ତାବକୁ ପୁନଃ ସମୀକ୍ଷା ପାଇଁ ୧୮ ନଭେମ୍ବର ୨୦୨୫ ରେ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ ପତ୍ର ପଠାଯାଇଛି।
ଯଦିଓ ସିନାପାଲି NAC କେବେ ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେବ ସେଥିପାଇଁ ସ୍ପଷ୍ଟ ସମୟସୀମା ଘୋଷଣା ହୋଇନାହିଁ, ତଥାପି ପ୍ରଶାସନିକ ପ୍ରକ୍ରିୟା ଦ୍ରୁତଗତିରେ ଚାଲୁଥିବା ଜଣାପଡ଼ିଛି। ସିନାପାଲି NAC ଗଠନ ହେଲେ ଅଞ୍ଚଳରେ ନଗରୀୟ ସୁବିଧା, ପରିକଳ୍ପିତ ଉନ୍ନୟନ, ପାନୀୟ ଜଳ ବ୍ୟବସ୍ଥା, ରାସ୍ତା ଓ ପରିଷ୍କାରତା ସେବାରେ ଉଲ୍ଲେଖନୀୟ ସୁଧାର ଆସିବ ବୋଲି ସ୍ଥାନୀୟ ଲୋକମାନେ ଆଶା ପ୍ରକାଶ କରୁଛନ୍ତି।

