ଭୁବନେଶ୍ୱର : ସୋସିଆଲ ମିଡିଆକୁ କେବଳ ମନୋରଞ୍ଜନର ମାଧ୍ୟମ ଭାବେ ନୁହେଁ, ବରଂ ସାଧାରଣ ଲୋକଙ୍କ ସମସ୍ୟା ସମାଧାନର ଏକ ପ୍ରଭାବଶାଳୀ ମଞ୍ଚ ଭାବେ ପରିଣତ କରିଛନ୍ତି ଭୁବନେଶ୍ୱର କଳିଙ୍ଗ ବିହାରର ସମାଜସେବୀ ଓ ଆଇନ ଛାତ୍ରୀ ସ୍ୱାତୀ ପ୍ରିୟା ଦାସ। ଟ୍ୱିଟର (ବର୍ତ୍ତମାନ X) ମାଧ୍ୟମରେ ସେ ଗରିବ ଓ ଆବଶ୍ୟକତାରେ ଥିବା ଲୋକଙ୍କ ସମସ୍ୟାକୁ ସରକାରଙ୍କ ନଜରକୁ ଆଣି ସହାୟତା ପହଞ୍ଚାଇବାରେ ନିରନ୍ତର ଭାବେ କାର୍ଯ୍ୟ କରୁଛନ୍ତି।
ସୂଚନା ଅନୁସାରେ, ପେନସନ, ରାସନ କାର୍ଡ, ଚିକିତ୍ସା ସହାୟତା, ପାନୀୟ ଜଳ, ରାସ୍ତାଘାଟ ସମେତ ବିଭିନ୍ନ ଜନସମସ୍ୟାକୁ ସ୍ୱାତୀ ସୋସିଆଲ ମିଡିଆରେ ଉଠାଇ ସମ୍ପୃକ୍ତ ବିଭାଗକୁ ଟ୍ୟାଗ କରୁଛନ୍ତି। ତାଙ୍କର ଏହି ପ୍ରୟାସ ଫଳରେ ଅନେକ ଲୋକ ସରକାରୀ ସହାୟତା ଓ ସୁବିଧା ପାଇବାରେ ସକ୍ଷମ ହୋଇଛନ୍ତି। ଏପର୍ଯ୍ୟନ୍ତ ସେ ପ୍ରାୟ ୨ ହଜାରରୁ ଅଧିକ ଜନସମସ୍ୟାର ସମାଧାନରେ ସହଯୋଗ କରିଥିବା ଜଣାପଡ଼ିଛି।
ସ୍ଥାନୀୟ ଅଞ୍ଚଳବାସୀଙ୍କ ମତରେ, ସ୍ୱାତୀଙ୍କ ଏହି ନିଷ୍ଠାପର ସାମାଜିକ କାର୍ଯ୍ୟ ଅନେକ ଅସହାୟ ପରିବାରଙ୍କ ପାଇଁ ଆଶାର ଆଲୋକ ପାଲଟିଛି। ସୋସିଆଲ ମିଡିଆର ସକାରାତ୍ମକ ଓ ଜନହିତକର ବ୍ୟବହାରର ଏକ ଉଜ୍ଜ୍ୱଳ ଉଦାହରଣ ଭାବେ ଏବେ ସ୍ୱାତୀ ପ୍ରିୟା ଦାସ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

