ନୂଆପଡା (ବିରବଲ ପ୍ରଧାନ) ନୂଆପଡ଼ା ଉପନିର୍ବାଚନ ପାଇଁ ନିଯୁକ୍ତ ଖର୍ଚ୍ଚ ତଦାରଖ କମିଟି ନୋଡାଲ ଅଧିକାରୀ ସତିଶ କୁମାର ଗଜଭିୟେ, ଆଇ ପି ଏସ ଙ୍କ ଉପସ୍ଥିତି ରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା | ଏଥିରେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଅତୁଲ୍ ପାଣ୍ଡେ, ଭାରତିୟ ରାଜସ୍ଵ ସେବା, ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ୍ ସିଂ, ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ନିର୍ବାଚନ ଖର୍ଚ୍ଚ ଅଧିକାରୀ ଲମ୍ବୋଦର ଧାରୁଆ ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରସ୍ତୁତି ବିଷୟର ଉପସ୍ଥାପନ କରିଥିଲେ | ବିଧାନସଭା ଉପନିର୍ବାଚନକୁ ସମ୍ପୂର୍ଣ୍ଣ ଶାନ୍ତି ଶୃଙ୍ଖଳା ଓ ନିରପେକ୍ଷ ଭାବରେ ପରିଚାଳିତ କରିବା ସହିତ ସମଗ୍ର ପ୍ରକ୍ରିୟାର ଖର୍ଚ୍ଚ କୁ ଶ୍ରୀ ଗଜଭିୟେ ତଦାରଖ କରିଥିଲେ | ଜିଲ୍ଲାପାଳ ମଧୂସୁଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସଭାରେ , ନିର୍ବାଚନ ଖର୍ଚ୍ଚ ତଦାରଖ କମିଟି ରେ ଥିବା ସମସ୍ତ ଅଧିକାରୀ ଯୋଗ ଦେଇଥିଲେ | ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି ବୈଠକ ର ଉଦ୍ଦେଶ୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ | ଶ୍ରୀ ଗଜଭିୟେ ନିର୍ବାଚନ ଖର୍ଚ୍ଚ ସହିତ ସଂପୃକ୍ତ ବିଭିନ୍ନ କମିଟିର ମୁଖ୍ୟ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କ କାର୍ଯ୍ୟ ଏବଂ ପଦ୍ଧତି ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇ ଆବଶ୍ୟକ ପରାମର୍ଶ ପ୍ରଦାନ କରିଥିଲେ | ସମସ୍ତ ଖର୍ଚ୍ଚ ମିଶାଇ ଜଣେ ପ୍ରାର୍ଥୀଙ୍କ ଖର୍ଚ୍ଚ ୪୦ ଲକ୍ଷ ଟଙ୍କା ଭିତରେ ରହିବା ଅତ୍ୟନ୍ତ ଆବଶ୍ୟକ ବୋଲି ସେ କହିଥିଲେ | ସମସ୍ତ ଟିମ୍ ପରସ୍ପର ମଧ୍ୟରେ ଉତ୍ତମ ଯୋଗାଯୋଗ ରକ୍ଷା କରି ସାମୁହିକ ଭାବରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ସେ ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଥିଲେ |

