ନୂଆପଡା ଜିଲ୍ଲା କୋମନା ବ୍ଲକ୍ ବେଲଗାଁରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଓ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ,ବର୍ତ୍ତନ ବ୍ୟାଙ୍କ୍ ଉଦ୍ଘାଟିତ ହେଲା
Monday, December 08, 2025
0
ନୂଆପଡା ୦୮/୧୨ : କୋମନା ବ୍ଲକ୍ ରେ ଅଭିଯୋଗ ଶୁଣାଣି ଶିବିର ପରେ ଅପରାହ୍ନରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ରଜନା ଗ୍ରାମ ପଞ୍ଚାୟତର ବେଲଗାଁରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଓ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମି ସୋରେନ୍,ସି ଡି ଏମ୍ ଓ ଡଃ ଧନେଶ୍ୱର ସେଠୀ, ବ୍ଲକ୍ ଅଧ୍ୟକ୍ଷା ଅନୁସୁୟା କୁମ୍ଭାର, ଉପାଧ୍ୟକ୍ଷ ଜୟଦେବ ପଧାନ,କୋମନା ବିଡ଼ିଓ ସର୍ବେଶ୍ଵର ଜାଲ, ସ୍ଥାନୀୟ ସରପଞ୍ଚ କ୍ଷିରସିନ୍ଧୁ ଭୋଇ, ସମିତି ସଭ୍ୟ ଭୂମିସୁତା ଶଗରିଆ ପ୍ରମୁଖ ଯୋଗ ଦେଇଥିଲେ । ଏହି ପଞ୍ଚାୟତରେ ଝିଅ ପାଇଁ ଗଛଟିଏ ଏବଂ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମାରୋହରେ ଜିଲ୍ଲାପାଳ ନବଜାତକ ଦୁଇଜଣ ଶିଶୁ କନ୍ୟାଙ୍କୁ କୋଳରେ ଧରି ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ସେମାନଙ୍କ ପିତାମାତାଙ୍କୁ ଉପହାର ସହିତ ନୂତନ ବୃକ୍ଷ ଚାରା ରୋପଣ ପାଇଁ ପ୍ରଦାନ କରି ଥିଲେ ।
ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ତିନି ଜଣ ଗର୍ଭବତୀ ମହିଳାଙ୍କୁ ଏହି ସମାରୋହରେ ଫଳମୂଳ, ପନିପରିବା, ପୃଷ୍ଟିକର ଖାଦ୍ୟ ଏବଂ ବିଭିନ୍ନ ଉପହାର ଅତିଥି ମାନେ ଭେଟି ଦେଇଥିଲେ । ଏହାପରେ ଜିଲ୍ଲାରୁ ପ୍ରବାସୀ ଶ୍ରମିକ ସମସ୍ଯା ଦୂର କରିବା ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧରୁଆ ସମସ୍ତଙ୍କୁ ସ୍ବାଗତ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସଭାରେ ଅତିଥି ଏବଂ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଜନ ସାଧାରଣଙ୍କୁ ପ୍ରବାସୀ ଶ୍ରମିକ ପ୍ରଥାର ଅପକାରୀତା ଓ ଏହାକୁ କିଭଳି ଭାବେ ନିରାକରଣ କରାଯାଇ ପାରିବ ସେ ବିଷୟରେ ସୂଚନା ଦେଇଥିଲେ । ଏହା ସହିତ ନୂଆପଡ଼ା ଥରେମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ମୁକ୍ତ ଜିଲ୍ଳା ଘୋଷିତ ହୋଇଥିବାରୁ ଏସବୁର ବ୍ୟବହାର ନ କରିବାକୁ ସମସ୍ତଙ୍କୁ ସଚେତ କରାଯାଇଥିଲା ।
ଏହା ସହିତ ବିବାହ ତଥା ପର୍ବ ପର୍ବାଣୀରେ ପ୍ଲାଷ୍ଟିକ ଖଲି ଦନା ଗ୍ଲାସ୍ ଇତ୍ୟାଦି ର ବ୍ୟବହାର ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ଜିଲ୍ଲାପାଳ ଏକ ବର୍ତ୍ତନ ବ୍ୟାଙ୍କ୍ ର ଉଦ୍ଘାଟନ କରିଥିଲେ । ଜିଲ୍ଲାପାଳ ସମସ୍ତଙ୍କୁ ସଂଵୋଧନ କରି କହିଲେ ଯେ ଘର ପାଖରେ ବିଭିନ୍ନ ଶ୍ରମଭିତ୍ତିକ କାମ ତଥା ବ୍ୟବସାୟ ଆରମ୍ଭ କରିବା ପାଇଁ ସହଜ ଋଣ ମିଳୁଥିବାରୁ ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ନ ଯିବା ପାଇଁ ସମସ୍ତେ ପଣ କରନ୍ତୁ । ଜିଲ୍ଲା ପ୍ରଶାସନ ସମସ୍ତ ଶ୍ରମିକ ମାନଙ୍କୁ ଖାଦ୍ୟ, ଉତ୍ତମ ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ଜଳସେଚନ ସୁବିଧା ସହିତ ଜୀବନ ଜୀବିକା ନିର୍ବାହ ପାଇଁ ବିଭିନ୍ନ ଯୋଜନାରେ ସାମିଲ କରିବା ପାଇଁ ପଦକ୍ଷେପ ନେଉଛନ୍ତି । ଆମେ ସମସ୍ତେ ମିଶି ନୂଆପଡ଼ାକୁ ପ୍ରବାସୀ ଶ୍ରମିକ ଏବଂ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ସେ ଆହ୍ଵାନ ଦେଇଥିଲେ । ଏହି ଅବସରରେ ମନରେଗା ଯୋଜନାରେ ୧୦୦ ରୁ ଅଧିକ ଦିନ କାମ କରିଥିବା ଶ୍ରମିକ ମାନଙ୍କୁ ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ବନ ବିଭାଗ ପକ୍ଷରୁ ଆୟୋଜିତ ପକ୍ଷୀ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ବୃକ୍ଷରୋପଣ ସହିତ ପକ୍ଷୀ ମାନଙ୍କ ପାଇଁ ବସା ଓ ମାଟି ନିର୍ମିତ ପାଣି ଏବଂ ଖାଦ୍ୟ ପାତ୍ର ଗଛ ମାନଙ୍କୁ ଝୁଲାଇ ଦିଆ ଯାଇଥିଲା । ଏହି ଶିବିରକୁ କୋମନା ବିଡ଼ିଓ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, କୋମନା ସିଡିପିଓ , ସ୍ଥାନୀୟ ସରପଞ୍ଚ, ବନ ବିଭାଗ, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଆୟୋଜନ କରିଥିଲେ।
Tags




