ଗଞ୍ଜାମ/ପୋଲସରା, ତା. ୧୧/୦୩: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଘୋଡ଼ାପଲାଣ ଗ୍ରାମ ପଞ୍ଚାୟତ ସ୍ଥିତ ଘୋଡ଼ାପଲାଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଓ ବିଭିନ୍ନ ଅସୁବିଧା ମଧ୍ୟରେ ପାଠପଢ଼ା ଚାଲିଥିବା ଦେଖାଯାଉଛି।
୧୯୪୫ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟର ୮୧ ବର୍ଷ ପୂର୍ଣ୍ଣ ହୋଇଥିବା ସତ୍ତ୍ୱେ ମଧ୍ୟ ଆଜି ପର୍ଯ୍ୟନ୍ତ ଆବଶ୍ୟକ ଶିକ୍ଷକ ଓ ଅନ୍ୟାନ୍ୟ ସୁବିଧାର ଅଭାବ ଦେଖାଯାଉଛି। ବର୍ତ୍ତମାନ ବିଦ୍ୟାଳୟରେ ୧ମ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୯୯ ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ ଥିବା ବେଳେ ନିୟମ ଅନୁଯାୟୀ ପ୍ରଧାନ ଶିକ୍ଷକଙ୍କୁ ମିଶାଇ ୯ ଜଣ ଶିକ୍ଷକ ଥିବାକୁ ଥିଲେ ମଧ୍ୟ ବର୍ତ୍ତମାନ କେବଳ ୭ ଜଣ ଶିକ୍ଷକ ରହିଛନ୍ତି।
ସେହିପରି ୨୦୨୫ ମସିହାରେ ସରକାର ଆରମ୍ଭ କରିଥିବା ସ୍ୱତନ୍ତ୍ର ବାଲବାଟିକାରେ ୯ ଜଣ ଶିଶୁ ଥିବା ସତ୍ତ୍ୱେ ସେମାନଙ୍କ ଯତ୍ନ ନେବା ପାଇଁ ଶିଶୁ ସେବିକା ନିଯୁକ୍ତ ହୋଇନାହାନ୍ତି। ସରକାରୀ ନିୟମ ଅନୁଯାୟୀ ୩୦ ଜଣ ଶିଶୁ ପାଇଁ ଜଣେ ଶିଶୁସେବିକା ରହିବାକୁ କଥା ଥିଲେ ମଧ୍ୟ ବର୍ତ୍ତମାନ ବାଲବାଟିକାର ୯ ଜଣ, ପ୍ରଥମ ଶ୍ରେଣୀର ୩ ଜଣ ଓ ଦ୍ୱିତୀୟ ଶ୍ରେଣୀର ୧୫ ଜଣକୁ ମିଶାଇ ୨୭ ଜଣ ପିଲା ଥିବାରୁ ମାତ୍ର ୩ ଜଣ କମ୍ ହେବା ଯୋଗୁଁ ଶିଶୁସେବିକା ନିଯୁକ୍ତ ହୋଇପାରୁନାହାନ୍ତି।
ଏହାସହ ହିନ୍ଦି, ସଂସ୍କୃତ, କଳା, କ୍ରୀଡା ଓ ଯୋଗ ଶିକ୍ଷକ ନଥିବା ସହିତ ବିଦ୍ୟାଳୟରେ ଖେଳପଡ଼ିଆର ଅଭାବ ମଧ୍ୟ ଦେଖାଯାଉଛି। ଏହା ଫଳରେ ପିଲାମାନେ କ୍ରୀଡା ଓ ଯୋଗ ଭଳି କାର୍ଯ୍ୟକଳାପରୁ ବଞ୍ଚିତ ହେଉଛନ୍ତି ଏବଂ ଶିକ୍ଷାଦାନରେ ବାଧା ସୃଷ୍ଟି ହେଉଛି।
ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ସେଠୀ କହିଛନ୍ତି ଯେ, ଶିକ୍ଷାଦାନ ସୁଚାରୁ ଭାବେ ଚାଲିବା ପାଇଁ ଶୀଘ୍ର ୫ ଜଣ ଶିକ୍ଷକ ଓ ଜଣେ ଶିଶୁସେବିକା ନିଯୁକ୍ତି ସହ ଏକ ଖେଳପଡ଼ିଆ ବ୍ୟବସ୍ଥା କରିବାକୁ ଗଣମାଧ୍ୟମ ଜରିଆରେ ପୋଲସରା ଗୋଷ୍ଠୀ ଶିକ୍ଷାଧିକାରୀ ଓ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ନିକଟରେ ଦାବି କରାଯାଇଛି।
— ଗଞ୍ଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ

