ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ଜନପ୍ରତିନିଧିମାନେ ମଧ୍ୟ ସୁରକ୍ଷିତ ନୁହନ୍ତି ଏବଂ ଆଇନ-ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ବ୍ଲକ ଅଧ୍ୟକ୍ଷଙ୍କୁ କାର୍ଯ୍ୟାଳୟ ପରିସରରେ ପଶି ଆକ୍ରମଣ କରାଯିବା ଘଟଣା ଏହାର ପ୍ରମାଣ ବୋଲି ସେମାନେ କହିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।
ଖବର ଅନୁସାରେ, ଶେରଗଡ ବ୍ଲକ ପରିସରରେ ଥିବା ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ପ୍ରବେଶ କରି ୧୦ ରୁ ଅଧିକ ଲୋକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। କୁମାରପାଣି ପଞ୍ଚାୟତର କିଛି ଠିକା କାମକୁ ନେଇ ଏହି ଆକ୍ରମଣ ଘଟିଥିବା କୁହାଯାଉଛି। ଏହାପୂର୍ବରୁ ଶେରଗଡ ବ୍ଲକର ଏକ ଗ୍ରାମରେ ଭୋଜିର ଆସରରେ ଏହି ଆକ୍ରମଣର ଯୋଜନା ହୋଇଥିବା କଥା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।
ଗୁରୁତର ଆହତ ଅବସ୍ଥାରେ ବ୍ଲକ ଅଧ୍ୟକ୍ଷଙ୍କୁ ସ୍ଥାନୀୟ ଲୋକେ ପ୍ରଥମେ ଶେରଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।
ଏହି ଘଟଣାକୁ ନେଇ ବିଜେଡି ପକ୍ଷରୁ ହିଞ୍ଜିଳି ଥାନା ଘେରାଉ କରାଯାଇଥିବା ବେଳେ, ଅନ୍ୟପଟେ ଶେରଗଡ ପୋଲିସ ବିଜେପି ଧବଳପୁର ମଣ୍ଡଳ ସଭାପତି ଜିତେନ୍ଦ୍ର ମହାରଣାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
ତେବେ ଏହି ଘଟଣାର ପଛରେ କିଏ ମୁଖ୍ୟ ଯୋଜନାକାରୀ ଓ କାହା ନିର୍ଦ୍ଦେଶରେ ଏପରି ଆକ୍ରମଣ ଘଟିଲା, ସେଥିପାଇଁ ପୋଲିସ ତଦନ୍ତ ଜାରି ରଖିଛି। ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବାକୁ ବିଜେଡି ପକ୍ଷରୁ ଦାବି କରାଯାଇଛି।
— ଗଞ୍ଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ

