ଗୁଡ଼ଭେଲା/ତୁଷୁରା, (ବ୍ୟୁରୋ) ଖୁସିର ବିବାହ ଯାତ୍ରା ମଧ୍ୟରେ ଘଟିଗଲା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ତୁଷୁରା ଥାନା ଅନ୍ତର୍ଗତ ବାଘବାହାଲି ଛକ ନିକଟରେ କନ୍ୟାଯାତ୍ରୀଙ୍କୁ ନେଇ ଯାଉଥିବା ଏକ ମାଲବାହୀ ପିକ୍ଅପ୍ ଗାଡ଼ି ହଠାତ୍ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଘଟଣାରେ ପ୍ରାୟ ୨୦ ଜଣ ଆହତ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପ୍ରାପ୍ତ ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା କଢ଼େଲ ଅଞ୍ଚଳରୁ କନ୍ୟାଯାତ୍ରୀମାନେ ପିକ୍ଅପ୍ ଗାଡ଼ିରେ ତୁଷୁରା ଅଞ୍ଚଳର କପାସିଲାକୁ ଯାଉଥିଲେ। ବିବାହ କାର୍ଯ୍ୟ ସମାପ୍ତ ପରେ କନ୍ୟାପକ୍ଷର ଆସବାବପତ୍ର ସହ ବରଘର ମୁହାଁ କରିବା ସମୟରେ ବାଘବାହାଲି ଛକ ନିକଟରେ ଗାଡ଼ିଟି ନିୟନ୍ତ୍ରଣ ହରାଇଥିଲା ଏବଂ ଓଲଟି ପଡ଼ିଥିଲା। ଦୁର୍ଘଟଣା ସହିତ ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଆହତମାନଙ୍କୁ ଗୁଡ଼ଭେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ପରେ ଗୁରୁତର ଚାରିଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରିଫର୍ କରାଯାଇଛି। ଘଟଣା ପରେ ଚାଳକ ଫେରାର ହୋଇଥିବା ବେଳେ ତୁଷୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜେସିବି ସାହାଯ୍ୟରେ ଦୁର୍ଘଟିତ ଗାଡ଼ିକୁ ଉଦ୍ଧାର କରିଛି। ଥାନା ଅଧିକାରୀ ମନୋଜ ପ୍ରଧାନଙ୍କ କହିବା ଅନୁସାରେ, ମାଲବାହୀ ଗାଡ଼ିରେ ଯାତ୍ରୀ ବହନ କରାଯାଇଥିବା ଏହି ଦୁର୍ଘଟଣାର ପ୍ରମୁଖ କାରଣ ହୋଇପାରେ। ପୋଲିସ ତଦନ୍ତ ଜାରି ରଖିଛି।
👉 ସଚେତନତା: ମାଲବାହୀ ଗାଡ଼ିରେ ଯାତ୍ରା ଜୀବନ ପାଇଁ ଝୁମ୍ପୁରା। ସୁରକ୍ଷିତ ଯାତାୟାତ ବ୍ୟବସ୍ଥା ବାଛନ୍ତୁ।

