ଝରିଗାଁ, ୦୫/୦୨: (ବୁଦୁରାମ ଗଣ୍ଡ) ସରକାରୀ ନିୟମ ଅନୁଯାୟୀ ଗୋଟିଏ କାର୍ଯ୍ୟ ପାଇଁ ଗୋଟିଏ ସୂଚନା ଫଳକ ଲଗାଇବା ଆବଶ୍ୟକ ଥିବାବେଳେ ଏହାର ବ୍ୟତିକ୍ରମ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚାଟିଗୁଡ଼ା ପଞ୍ଚାୟତର ଚାଟିଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମରେ ଗୋଟିଏ ବୋର୍ଡରେ ଦୁଇଟି କାମର ସୂଚନା ଫଳକ ଲଗାଯାଇଥିବା ଘଟଣା ଏବେ ସାଧାରଣରେ ଆଲୋଚନାର ବିଷୟ ପାଲଟିଛି।
ସୂଚନା ଅନୁସାରେ ଆର୍ଥିକ ବର୍ଷ ୨୦୨୫-୨୦୨୬ ମସିହାରେ ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥା (DRDA), ନବରଙ୍ଗପୁର ଦ୍ୱାରା 15th CFC ଯୋଜନା ଅନ୍ତର୍ଗତ ଚାଟିଗୁଡ଼ା ଗ୍ରାମରେ ଦୁଇଟି ଡ୍ରେନ/ନାଳ କାର୍ଯ୍ୟ ପାଇଁ ଅଟକଳ ମୂଲ୍ୟ ଧାର୍ଯ୍ୟ କରାଯାଇଛି।
ପ୍ରଥମ କାର୍ଯ୍ୟ ହେଉଛି ଗବର୍ଦ୍ଧନ ଘର ନିକଟରେ ପକ୍କା ଡ୍ରେନ ନିର୍ମାଣ, ଯାହାର ଅଟକଳ ମୂଲ୍ୟ ୧ ଲକ୍ଷ ଟଙ୍କା ରହିଛି। ଦ୍ୱିତୀୟ କାର୍ଯ୍ୟ ହେଉଛି ଚାଟିଗୁଡ଼ା ଆଦିବାସୀ ସାହି ନିକଟରେ ପକ୍କା ନାଳ ନିର୍ମାଣ, ଯାହାର ଅଟକଳ ମୂଲ୍ୟ ୯୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ତେବେ ଏହି ଦୁଇଟି କାମ ପାଇଁ ଦୁଇଟି ସୂଚନା ଫଳକ ଲଗାଯିବା କଥା ଥିବାବେଳେ ଗୋଟିଏ ବୋର୍ଡରେ ଆଗପଛ କରି ଦୁଇଟି ସୂଚନା ଫଳକ ଲଗାଇ ଦର୍ଶାଯାଇଛି। ଏହାକୁ ନେଇ ସାଧାରଣରେ ଆଶ୍ଚର୍ଯ୍ୟ ଓ ସନ୍ଦେହ ସୃଷ୍ଟି ହୋଇଛି।
ସ୍ଥାନୀୟ ଲୋକଙ୍କ ମତାନୁସାରେ ଗୋଟିଏ କାମ ସ୍ଥାନରେ ଦୁଇଟି ଫଳକ ଲଗାଇ ବିଲ କରି ସରକାରୀ ଅର୍ଥ ଆତ୍ମସାତ କରିବା ଉଦ୍ୟମ ହୋଇପାରେ। ଏହି ଘଟଣାରେ ବ୍ଲକ ବିଭାଗୀୟ କର୍ମଚାରୀ, ବିଭାଗୀୟ ଯନ୍ତ୍ରୀ, ପଞ୍ଚାୟତ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ସହଭାଗିତା ଥାଇପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇନଥିବା ଜଣାପଡ଼ିଛି। ଏହାସହିତ ଝରିଗାଁ ବିଡ଼ିଓ ମଧୁସୂଦନ ମାଝୀଙ୍କୁ ପଚାରିବାରୁ ସେ ମଧ୍ୟ ଏନେଇ କୌଣସି ସ୍ପଷ୍ଟ ଉତ୍ତର ରଖିପାରିନଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି

