୨୭ ଟିକିଆ ହାତୀପଲ ଭାଙ୍ଗିଦେଲା ୭ ପରିବାରର ଘର, ୧୦ ଦିନ ହେଲା ଥଇଥାନ ନାହିଁ
କୋମନା/ନୂଆପଡ଼ା (ପରମେଶ୍ବର ମେହେର) : ହାତୀ ଭୟ ଯୋଗୁ ରାତି ହେଲେ ଲୋକେ ଗଛ ଉପରେ ଜୀବନ ବିତାଉଥିବା ଦୃଶ୍ୟ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ଭିତରେ ବାସ କରୁଥିବା ଦାତୁନାମା ଗାଁରେ ଦେଖିବାକୁ ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ସୁନାବେଡା ପଞ୍ଚାୟତର ୧୦ ନମ୍ବର ୱାର୍ଡ ଅନ୍ତର୍ଗତ ଦାତୁନାମା ଗାଁରେ ୭ ପରିବାରର ୪୦ ଜଣ ସଦସ୍ୟ ବସବାସ କରନ୍ତି। ସେମାନଙ୍କ ମଧ୍ୟରେ ୧୪ ଜଣ ଶିଶୁ ରହିଛନ୍ତି। ଆବାସ ଯୋଜନାରେ ସାମିଲ ନଥିବାରୁ ପରିବାର ସଦସ୍ୟମାନେ ଚାଳଛପର କୁଡିଆରେ ରହିଆସୁଥିଲେ।
ଗତ ୩ ତାରିଖ ରାତିରେ ୨୭ ଟିକିଆ ହାତୀପଲ ଗାଁକୁ ପ୍ରବେଶ କରି ସମସ୍ତ ଘର ଭାଙ୍ଗି ଧୂଳିସାତ କରିଦେବା ସହ ଧାନ, ଚାଉଳ ଖାଇ ଜିନିଷପତ୍ର ନଷ୍ଟ କରିଦେଇଛନ୍ତି। ଘର ଭାଙ୍ଗିଯିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଥଇଥାନ ବ୍ୟବସ୍ଥା କରାଯାଇନଥିବାରୁ ଗ୍ରାମବାସୀ ଗଛମୂଳେ ଆଶ୍ରୟ ନେଇଛନ୍ତି।
ଦିନବେଳା ଗଛ ତଳେ ରହି ରୋଷେଇ କରି ଖାଇବା ସହ ରାତି ହେଲେ ପୁରୁଷମାନେ ଛୋଟ ଛୁଆଙ୍କୁ ସାଙ୍ଗରେ ଧରି ଗଛ ଉପରେ ବସି ରହୁଛନ୍ତି। ଅନ୍ୟପଟେ ମହିଳାମାନେ ଗଛ ତଳେ କାଠ ମଞ୍ଚା କରି ବସି ରାତି କାଟୁଛନ୍ତି। ହାତୀ କିମ୍ବା ଅନ୍ୟ ହିଂସ୍ରଜନ୍ତୁ ଆସିଯିବା ଭୟରେ ପୁରୁଷମାନେ ପାଳି କରି ଗାଁ ଚାରିପାଖରେ ପହରା ଦେଇଥାନ୍ତି।
ଗାଁରେ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର, ପାନୀୟ ଜଳ ଯୋଗାଣ ଭଳି ମୌଳିକ ସୁବିଧା ନଥିବାବେଳେ ବିଜୁଳି ଆଲୋକ ସାତସପନ ହୋଇଛି। ଫଳରେ ରାତିରେ ଟାୟାର ଜାଳି ପୁରୁଷମାନେ ପହରା ଦେଉଥିବା ଜଣାପଡ଼ିଛି।
ଗାଁରେ ୪୦ ଜଣ ସଦସ୍ୟ ରହିଥିବାବେଳେ ସମସ୍ତେ ନିରକ୍ଷର ଥିବା ଜଣାପଡ଼ିଛି। ହାତୀ ଆକ୍ରମଣ ପରେ ପ୍ରଶାସନ ପକ୍ଷରୁ ତାର୍ପୋଲିନ କୁଡିଆ କରି ରହିବା ବ୍ୟବସ୍ଥା କରାଯିବ ବୋଲି କୁହାଯାଇଥିଲା। ହେଲେ ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ସୁବିଧା କରାଯାଇନାହିଁ।
ଅନ୍ୟପଟେ ଗ୍ରାମବାସୀଙ୍କ ଜମି କିମ୍ବା ଘରଡିହ ପଟ୍ଟା ନଥିବାରୁ ସେମାନେ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ରହୁଛନ୍ତି। ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
ଏ ସଂକ୍ରାନ୍ତରେ ସୁନାବେଡା ଅଭୟାରଣ୍ୟ ବନଖଣ୍ଡ ଅଧିକାରୀ ସମୀର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଦାତୁନାମା ଗାଁକୁ ହାତୀପଲ ଆସି ସବୁ ଘରକୁ ଭାଙ୍ଗି ଧୂଳିସାତ କରିଦେଇଛି। ଗ୍ରାମବାସୀଙ୍କୁ ସୁନାବେଡା ଅଭୟାରଣ୍ୟରୁ ନେଇ ତଳ ଅଞ୍ଚଳରେ ଘରଡିହ ପାଇଁ ୪ ଡେସିମିଲ ପଟ୍ଟା ଦେଇ ଆବାସ ଯୋଜନାରେ ସାମିଲ କରାଯାଇ ଥଇଥାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

