ଝରିଗାଁ | ୩୦/୦୧ : (ବୁଦୁରାମ ଗଣ୍ଡଙ୍କ) ରାଜ୍ୟ ସରକାର ବିଧବା ମହିଳାଙ୍କ ସାମାଜିକ ସୁରକ୍ଷା ପାଇଁ ମଧୁବାବୁ ପେନସନ ଯୋଜନା ପ୍ରଚଳନ କରିଥିବା ସତ୍ତ୍ୱେ, ଜନପ୍ରତିନିଧି ଓ ବ୍ଲକ ପ୍ରଶାସନର ଅବହେଳା ସହ ସଚେତନତା ଅଭାବ ଯୋଗୁଁ ଅନେକ ବିଧବା ମହିଳା ଏହି ଯୋଜନାରୁ ଆଜି ପର୍ଯ୍ୟନ୍ତ ବଞ୍ଚିତ ରହି ଦୁର୍ବିସହ ଜୀବନ ଯାପନ କରୁଛନ୍ତି।
ଏଭଳି ଏକ ଦୟନୀୟ ଦୃଶ୍ୟ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଏକାମ୍ବା ପଞ୍ଚାୟତର ଗୋରାମ୍ବା ଗ୍ରାମରେ ସାମ୍ନାକୁ ଆସିଛି। ଏଠାରେ ରହୁଥିବା ରଇବାରୀ ଭତ୍ରା (୪୪)ଙ୍କ ସ୍ୱାମୀଙ୍କ ମୃତ୍ୟୁକୁ ବର୍ଷେ ବିତିଯାଇଥିଲେ ମଧ୍ୟ ସେ ଆଜି ପର୍ଯ୍ୟନ୍ତ ବିଧବା ଭତ୍ତାରୁ ବଞ୍ଚିତ ରହିଛନ୍ତି।
ଠିକ୍ ସେହିପରି, ଗୋରାମ୍ବା ଗ୍ରାମର ବୈଶାଖୀ ଭତ୍ରା (୩୫) ତିନି ବର୍ଷ ତଳେ ନିଜ ସ୍ୱାମୀଙ୍କୁ ହରାଇ ବିଧବା ଅବସ୍ଥାରେ ନିଜ ପୁଅ–ଝିଅ ସହିତ ଅତ୍ୟନ୍ତ ଦୟନୀୟ ଭାବେ ଜୀବନ ଯାପନ କରୁଛନ୍ତି।
ଉଭୟ ବିଧବା ମହିଳା କୁଲି ମଜୁରୀ କରି ଦିନମଜୁରିଆ ଭାବେ କାମ କରି ନିଜ ପରିବାରର ପେଟପୋଷଣ କରୁଛନ୍ତି। ପରିବାର ମୁଖ୍ୟଙ୍କ ମୃତ୍ୟୁ ପରେ ସଂସାର ଚଳାଇବା ପାଇଁ ସେମାନେ ଦିନକୁ ଦିନ ସଂଗର୍ଷ କରୁଥିବା ଦେଖାଯାଉଛି। ସରକାରଙ୍କ ତରଫରୁ କିଛି ସହାୟତା ମିଳିଲେ ନିଜେମାନେ ଉପକୃତ ହେବେ ବୋଲି ସେମାନେ ଅଭିଯୋଗ କରିଛନ୍ତି।
ଗରିବ, ଖଟିଖିଆ ଓ ଦିନମଜୁରିଆଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଥିଲେ ମଧ୍ୟ ଏହି ଅସହାୟ ପରିବାରଙ୍କ ପାଇଁ ଏହା ସାତ ସପନ ପାଲଟିଥିବା ଅଭିଯୋଗ ହେଉଛି।
ଏହି ପରିପ୍ରେକ୍ଷିତରେ ପ୍ରଶାସନ ଯଥାଶୀଘ୍ର ଦୁଇ ବିଧବା ମହିଳାଙ୍କୁ ବିଧବା ଭତ୍ତା ସହ ଆବାସ ଗୃହ ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି।

