ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ ଅନ୍ତର୍ଗତ ଗଡରାମୁଣ୍ଡା ଗ୍ରାମ ଠାରେ ଆଜି ଏକ ବାଇକକୁ ଧକ୍କା ଦେଇ ଦୁଇ କିଲୋମିଟର ଘୋଷାଡି ନେଇଛି ବୋଲେରୋ। ଘଟଣାରେ ଜଣେ ଗୁରୁତର ହୋଇଥିବା ବେଳେ ଦୁଇ ଜଣ ଆଘାତ ହୋଇଛନ୍ତି। ଆହତଙ୍କୁ ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି। ଖଡ଼ିଆଳ ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମର ଚୂଡ଼ାମଣି ପଟେଲ, ତାଙ୍କ ମାଆ କୁନି ପଟେଲ ଓ ଚାରି ବର୍ଷର ଝିଅ ସାରାକୁ ନେଇ ଚିନ୍ଦାଗୁଡ଼ା ଗାଁ କୁ ଏକ ବାହାଘରକୁ ଯାଇଥିଲେ। ଭୋଜି ଖାଇ ଫେରୁଥିବା ବେଳେ ଗଡ୍ରାମୁଣ୍ଡା କେନାଲ ଛକ ପାଖରେ ଦୃତ ବେଗରେ ଆସୁଥିବା ଏକ ବୋଲେରୋ ପଛ ପଟୁ ସେମାନଙ୍କୁ ଧକ୍କା ଦେଇଥିଲା। ସମସ୍ତେ ବାଇକରୁ ଛିଟିକି ପଡ଼ିଥିଲେ। କୁନି ପଟେଲଙ୍କ ଗୋଡ ଓ ହାତରେ ଗୁରୁତର ଆଘାତ ଲାଗିଥିବା ଜଣାପଡିଛି। ତିନି ଜଣଙ୍କୁ ଖଡ଼ିଆଳ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରା ଯାଇ ଚିକିତ୍ସିତ ହେଉଛନ୍ତି। ବୋଲେରୋ ଟି ଦୁଇ କିଲୋମିଟର ପର୍ଯ୍ୟନ୍ତ ବାଇକ୍ କୁ ଘୋଷାଡି ନେଇଥିଲା। ପୁଲିସ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।


