ନୂଆପଡ଼ା (ପରମେଶ୍ଵର ମେହେର) ଲୋକମାନଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ନାନା ପ୍ରକାର ଯୋଜନା ପ୍ରଣୟନ କରିଥିବା ସତ୍ତ୍ୱେ ବିଭାଗୀୟ ଅଧିକାରୀ ଓ ନିର୍ବାଚିତ ଜନପ୍ରତିନିଧିଙ୍କ ଆନ୍ତରିକତା ଅଭାବ ଯୋଗୁଁ ଅନେକ ସ୍ଥାନରେ ଏହି ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହୋଇପାରୁନାହିଁ। ଫଳସ୍ୱରୂପ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହୋଇରହୁଛନ୍ତି। ଏପରି ଏକ ଦୁର୍ଦ୍ଦଶାର ଦୃଶ୍ୟ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତର ବାଗମୁଣ୍ଡା ଗାଁ ଅଧୀନ ଭୂର୍ଷିପଡ଼ା ପଡ଼ାରେ ଦେଖିବାକୁ ମିଳିଛି। ଏହି ଭୂର୍ଷିପଡ଼ାରେ ଆଦିବାସୀ ସମ୍ପ୍ରଦାୟର ପ୍ରାୟ ୩୦ଟି ପରିବାରରେ ୧୫୦ରୁ ଅଧିକ ଲୋକ ବସବାସ କରୁଛନ୍ତି। ବିଜୁ ଏକ୍ସପ୍ରେସ୍ ୱେଠାରୁ ଗ୍ରାମକୁ ପ୍ରାୟ ଦେଢ କିଲୋମିଟର ରାସ୍ତା ଭଲ ନଥିବାରୁ ଗ୍ରାମବାସୀମାନେ ଜମି ହିଡ଼ ଦେଇ ଅତ୍ୟନ୍ତ ଅସୁବିଧାରେ ଯାତାୟାତ କରୁଛନ୍ତି। ସାଇକେଲ କିମ୍ବା ଅନ୍ୟ ଯାନବାହନ ନେଇ ଯିବାକୁ ହେଲେ ୩ କିଲୋମିଟର ରାସ୍ତା ବୁଲି ଯିବାକୁ ପଡ଼ୁଛି। ଗାଁରେ ପ୍ରାଥମିକ ବିଦ୍ୟାଳୟ ନଥିବାରୁ କୋମଳମତି ଶିଶୁମାନେ ପ୍ରାୟ ୪ କିଲୋମିଟର ଦୂର ଝିପାବାହାଲ ଗାଁର ସ୍କୁଲକୁ ପଢ଼ିବାକୁ ଯାଉଛନ୍ତି। ଏହାରେ ବିଜୁ ଏକ୍ସପ୍ରେସ୍ ୱେ ଜମି ହିଡ଼ ଦେଇ ପାରିହେବାକୁ ପଡ଼ୁଥିବାରୁ ଛୋଟ ପିଲାମାନଙ୍କ ଜୀବନ ପ୍ରତି ଭୟଙ୍କର ବିପଦ ରହିଛି। ଗାଁରେ ଅଙ୍ଗନୱାଡି କେନ୍ଦ୍ର ନଥିବାରୁ ଶିଶୁମାନେ ପ୍ରାକ୍ଶିକ୍ଷା ଓ ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ ହେଉଛନ୍ତି। ଗ୍ରାମଭିତରେ ପାଇପ୍ଲାଇନ ବିଛାଯାଇ ଘରେ ଘରେ ଷ୍ଟାଣ୍ଡପୋଷ୍ଟ ବସାଯାଇଥିଲେ ମଧ୍ୟ ଜଳ ଯୋଗାଣ ନହେବାରୁ ଗ୍ରାମବାସୀମାନେ ବାଧ୍ୟହୋଇ ଫ୍ଲୋରାଇଡ୍ଯୁକ୍ତ ପାଣି ବ୍ୟବହାର କରୁଛନ୍ତି। ଏହାସହ ଗାଁର ଅଧିକାଂଶ ବୃଦ୍ଧାବୃଦ୍ଧ, ମହିଳା ଓ ଶିଶୁଙ୍କର ଆଧାର କାର୍ଡ ନାହିଁ। ନୂତନ ଆଧାର କାର୍ଡ ପାଇଁ ବାରମ୍ବାର ଅନଲାଇନ ଆବେଦନ, ଆଧାର କେନ୍ଦ୍ର ଓ ବ୍ଲକ୍ କାର୍ଯ୍ୟାଳୟକୁ ଦୌଡ଼ିଲେ ମଧ୍ୟ ସେମାନେ ସୁଫଳ ପାଇନାହାନ୍ତି। ଏହି କାରଣରୁ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୃଦ୍ଧାବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗମାନେ ସରକାରୀ ମାସିକ ଭତ୍ତାରୁ ବଞ୍ଚିତ ରହିଛନ୍ତି। ସ୍ନାନ ଓ ଶୌଚ ପାଇଁ ଗାଁରେ ଭଲ ପୋଖରୀ ନଥିବା ସହ ଗାଁଠାରୁ ନିକଟରେ ଥିବା ରୁଗଡ଼ିବନ୍ଧକୁ ଯିବା ପାଇଁ ମଧ୍ୟ ଯୋଗାଯୋଗ ରାସ୍ତା ନାହିଁ।
ଏସବୁ ସମସ୍ୟା ସମ୍ପର୍କରେ ଗ୍ରାମବାସୀମାନେ ବାରମ୍ବାର ସରପଞ୍ଚ, ବିଡିଓ ଓ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ବୈଶାଖୁ ମିର୍ଦ୍ଧା, କୃଷ୍ଣ ବରିହା, ସାନ ବରିହା, କନ୍ଦର୍ପ ବରିହା, ବଡ଼ ବରିହା, ରାମ ବରିହା, ବୈଶାଖୁ ବରିହା, ବୀରସିଂ ବରିହା, ଲବ ବରିହା ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, କୋମନା ବିଡିଓଙ୍କୁ ଗ୍ରାମକୁ ପଠାଇ ତଦନ୍ତ କରାଯିବ ଏବଂ ଯେଉଁ ସମସ୍ୟା ରହିଛି ସେଗୁଡ଼ିକୁ ଶୀଘ୍ର ସମାଧାନ କରାଯିବ।

