ଖଡ଼ିଆଳ (୩/୧ ପରମେଶ୍ୱର ମେହେର): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ପକ୍ଷରୁ ବନ୍ୟପ୍ରାଣୀ ଚୋରାଚାଲାଣ ବିରୋଧରେ କରାଯାଇଥିବା ଚଢ଼ାଉରେ ଚିତା ବାଘ ଛାଲ ଓ ଦୁଇଟି ସମ୍ବର ଶିଙ୍ଘ ଜବତ କରାଯାଇଛି। ଏହି ମାମଲାରେ ମୋଟ ଛଅଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗୁରୁବାର ନୂଆପଡ଼ା ରେଞ୍ଜ ଅନ୍ତର୍ଗତ ପତାଳଘୁଟକୁରି ଗ୍ରାମରେ ଚଢ଼ାଉ କରି ବନ ବିଭାଗ ମହେଶ ସାହୁ (୬୨) ଓ ତାଙ୍କ ପୁଅ ଗଜାନନ ସାହୁ (୨୬)ଙ୍କ ନିକଟରୁ ଏକ ଚିତା ବାଘ ଛାଲ ଜବତ କରିଥିଲା। ଉଭୟଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରାଯାଇଛି।
ଅନ୍ୟ ଏକ ଘଟଣାରେ, ଶୁକ୍ରବାର ଖଡ଼ିଆଳ ରେଞ୍ଜ ଅନ୍ତର୍ଗତ ବୋଡ଼େନ ସେକ୍ସନରେ ଚଢ଼ାଉ କରାଯାଇ ଚିତା ବାଘ ଛାଲ ଓ ଦୁଇଟି ସମ୍ବର ଶିଙ୍ଘ ବିକ୍ରି କରିବାକୁ ଉଦ୍ୟମ କରୁଥିବା ଚାରିଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ— ଦିନେଶ ମାଝି (୬୨), ସୁକୁରାମ ଚିନ୍ଦା (୪୫), ପୂର୍ଣ୍ଣଚନ୍ଦ୍ର ମାଝି (୪୬) ଓ ମଧୁସୂଦନ ମାଝି (୫୫)। ସେମାନେ ସମସ୍ତେ ବୋଡ଼େନ ଥାନା ଅନ୍ତର୍ଗତ ସରାଧାରପୁର ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି। ଏହି ମାମଲାରେ ମୋଟ ଛଅଜଣ ଗିରଫ ହୋଇଥିବା ବେଳେ ଆଉ ଦୁଇଜଣ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି। ଚଢ଼ାଉର ନେତୃତ୍ୱ ନେଇଥିଲେ ଏସିଏଫ ପ୍ରଶ୍ନଜିତ ନାଏକ ଓ ମହମ୍ମଦ ମୁସ୍ତାଫା ସାହିଲଙ୍କ ସହ ସ୍ଥାନୀୟ ବନ କର୍ମଚାରୀମାନେ। ଅଭିଯୁକ୍ତମାନଙ୍କ ବିରୋଧରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାଁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

