ଜନ ଶିକ୍ଷଣ ସଂସ୍ଥାନ, କଳାହାଣ୍ଡିରେ ଜାତୀୟ କନ୍ୟା ଦିବସ ପାଳନ

ଆଜତକ ଓଡ଼ିଶା
0

ଭବାନୀପାଟଣା (ସ୍ବାସ୍ତିଦୀପ ଆଦିତ୍ୟ) : ଜନ ଶିକ୍ଷଣ ସଂସ୍ଥାନ (JSS),କଳାହାଣ୍ଡି ପକ୍ଷରୁ ଜାତୀୟ କନ୍ୟା ଦିବସ ଉପଲକ୍ଷେ JSS କାର୍ଯ୍ୟାଳୟ ପରିସରରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମର ମୂଖ୍ୟ ଉଦ୍ଦେଶ୍ୟ ଥିଲା କନ୍ୟାମାନଙ୍କ ଅଧିକାର, ଶିକ୍ଷା, ସଶକ୍ତିକରଣ ଏବଂ ଆଇନଗତ ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା। କାର୍ଯ୍ୟକ୍ରମର ଆରମ୍ଭରେ JSS ନିର୍ଦ୍ଦେଶକ ଶ୍ରୀ ସୁବ୍ରତ କୁମାର ତ୍ରିପାଠୀ ସ୍ବାଗତ ଉଦ୍ବୋଧନ ଦେଇ ଜନ ଶିକ୍ଷଣ ସଂସ୍ଥାନର ସଫଳତା ଗାଥା ସହିତ ନାରୀ ଓ କନ୍ୟାମାନଙ୍କୁ ବିଭିନ୍ନ କୌଶଳ ବିକାଶ ପ୍ରଶିକ୍ଷଣ ମାଧ୍ୟମରେ ସଶକ୍ତ କରିବାରେ ସଂସ୍ଥାର ଭୂମିକା ବିଷୟରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିବା ଶ୍ରୀମତୀ ଏସ୍. ସୁଜାତା, କାଉନସିଲର, ମହିଳା ସହାୟତା କେନ୍ଦ୍ର ଓ ଅଧୀକ୍ଷକ, ଜିଲ୍ଲା ପୁଲିସ ମୁଖ୍ୟାଳୟ, ଭବାନୀପାଟଣା, କନ୍ୟା ଶିକ୍ଷାର ଗୁରୁତ୍ୱ ଉପରେ ଜୋର ଦେଇ କହିଥିଲେ ଯେ ଏକ ଶିକ୍ଷିତ କନ୍ୟା ଆତ୍ମବିଶ୍ୱାସୀ ହୋଇ ନିଜ ଅଧିକାର ବିଷୟରେ ସଚେତନ ଥାଏ ଏବଂ ସ୍ୱାଧୀନ ନିଷ୍ପତ୍ତି ନେବାରେ ସକ୍ଷମ ହୁଏ। ସେ ସମାଜରେ ମହିଳାମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଯଥା ଶିଶୁ ବିବାହ, ଘରୋଇ ହିଂସା, ଦେହଜ ପ୍ରଥା ଓ ସାମାଜିକ ଚାପ ବିଷୟରେ ଆଲୋଚନା କରି ସେଗୁଡ଼ିକୁ ଆଇନଗତ ସଚେତନତା ମାଧ୍ୟମରେ କିପରି ମୁକାବିଲା କରିହେବ ସେଥିରେ ମାର୍ଗଦର୍ଶନ ଦେଇଥିଲେ। ସେ POCSO ଆଇନ, ଶିଶୁ ବିବାହ ନିଷେଧ ଆଇନ, ଦେହଜ ନିଷେଧ ଆଇନ ଓ ଘରୋଇ ହିଂସାରୁ ମହିଳା ସୁରକ୍ଷା ଆଇନ (PWD Act) ବିଷୟରେ ବିସ୍ତୃତ ଭାବେ ସୂଚନା ଦେଇ ମହିଳା ସହାୟତା କେନ୍ଦ୍ର, ପୁଲିସ, ହେଲ୍ପଲାଇନ ସେବା ଓ ଆଇନଗତ ସଂସ୍ଥାମାନଙ୍କ ମାଧ୍ୟମରେ ସହାୟତା କିପରି ନିଆଯାଇପାରିବ ସେଥିରେ ମଧ୍ୟ ଦିଗଦର୍ଶନ ଦେଇଥିଲେ। କାର୍ଯ୍ୟକ୍ରମରେ ଲାଭାନ୍ବିତମାନେ ନିଜ ନିଜ ସମସ୍ୟା ଓ ଆଇନଗତ ଅଧିକାର ସମ୍ପର୍କରେ ପ୍ରଶ୍ନ ରଖିଥିଲେ, ଯାହାର ସଠିକ୍ ଉତ୍ତର ଦେଇ ମୁଖ୍ୟ ଅତିଥି ସମାଧାନ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ୬୦ ଜଣ ଲାଭାନ୍ବିତଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା, ଯାହାର ମଧ୍ୟରେ ୪୦ ଜଣ ସିଲାଇ ପ୍ରଶିକ୍ଷଣ ଓ ୨୦ ଜଣ ବ୍ୟୁଟି ପାର୍ଲର ପ୍ରଶିକ୍ଷଣ ନେଇଥିଲେ। ଲାଭାନ୍ବିତମାନେ ନିଜ ଅନୁଭବ ସାଂଝା କରି ଜନ ଶିକ୍ଷଣ ସଂସ୍ଥାନ ପ୍ରତି କୃତଜ୍ଞତା ଜଣାଇଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଜନ ଶିକ୍ଷଣ ସଂସ୍ଥାନର ପ୍ରୋଗ୍ରାମ୍ ଅଫିସର୍ ଶ୍ରୀମତୀ କ୍ଷୀରମଣୀ କୁମାର, ଆକାଉଣ୍ଟାଣ୍ଟ ଶ୍ରୀ ଅମ୍ବେ ପ୍ରସାଦ ପ୍ରଧନୀ ଏବଂ ଶ୍ରୀ ମଧୁସୁଦନ ବାଗ ଗୁରୁତ୍ୱପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ। ଶେଷରେ କାର୍ଯ୍ୟକ୍ରମ ସଫଳତାର ସହିତ ସମାପ୍ତ ହୋଇଥିଲା।

Post a Comment

0 Comments

Please Select Embedded Mode To show the Comment System.*

3/related/default