ନୂଆପଡା, ତା ୧୨/୦୧ ନୂଆପଡା ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଘୋଷିତ ବିକାଶ କାର୍ଯ୍ୟ ସବୁର ସମୀକ୍ଷା କରିବା ପାଇଁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂ ଆଜି ନୂଆପଡା ଜିଲ୍ଲା ଗସ୍ତ କରିଥିଲେ । ସ୍ଥାନୀୟ ଗୋତମା ଏୟାର ଷ୍ଟ୍ରିପ ରେ ଅବତରଣ ପରେ ସେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକରେ ଯୋଗଦାନ କରିଥିଲେ । ଏହି ବୈଠକରେ ଜିଲ୍ଲାପାଳ ମଧୁସୂଦନ ଦାଶ, ମାନ୍ୟବର ବିଧାୟକ ଖଡିଆଳ, ଅଧିରାଜ ମୋହନ ପାଣିଗ୍ରାହୀ, ମାନ୍ୟବର ବିଧାୟକ ନୂଆପଡା , ଜୟ ଢୋଲକିଆ,ଜଳ ସମ୍ପଦ ବିଭାଗ ପ୍ରମୁଖ ସଚିବ ଶ୍ରୀମତୀ ଶୁଭା ଶର୍ମା , ଡି ଆଇ ଜି ଦକ୍ଷିଣ ପଶ୍ଚିମାଞ୍ଚଳ କୁଅଁର ବିଶାଲ୍ ସିଂ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ୍ ସିଂ, ସାଂସଦଙ୍କ ପ୍ରତିନିଧି ଆଇନଜୀବୀ ପ୍ରସନ୍ନ ପାଢ଼ୀ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦାନ କରିଥିଲେ । ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଉନ୍ନୟନ କମିଶନର କହିଲେ ଯେ ନୂଆପଡ଼ା ଯେହେତୁ ଏକ ଉପାନ୍ତ ଜିଲ୍ଲା, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଚାହୁଁଛନ୍ତି ଏହାର ସର୍ବାଙ୍ଗୀନ ବିକାଶ ହେଉ । ଏହା ଦେଶ ତଥା ରାଜ୍ୟରେ ଏକ ଆଦର୍ଶ ଜିଲ୍ଲା ହିସାବରେ ପରିଗଣିତ ହେଉ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅନୁଦାନ ପ୍ରଦାନ କରିଥିବା ୧୫୫୫ କୋଟି ଟଙ୍କାର ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ର ସେ ସମୀକ୍ଷା କରିଥିଲେ। ଏଥିରୁ କେବଳ ଜଳସେଚନ ପାଇଁ ୮୦୨ କୋଟି ଥିବାରୁ , କୃଷକ ମାନଙ୍କ ଉନ୍ନତି ପାଇଁ ଏସବୁ ଶୀଘ୍ର ସମାପ୍ତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ୧୦୬୪ ଟି ଗଭୀର ନଳକୂପ ଖନନ ଥିବାରୁ କାମ ଶୀଘ୍ର ସାରି ବିଦ୍ୟୁତ୍ ସଂଯୋଗ ପାଇଁ ଗୁରୁତ୍ୱ ଦେଇଥିଲେ। ଏହା ସହିତ ମଞ୍ଜୁର ହୋଇଥିବା ରାସ୍ତା ଓ କୋଠାବାଡ଼ି ନିର୍ମାଣ କାମ ଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାନ୍ୟବର ଉଭୟ ବିଧାୟକ ଜିଲ୍ଲାର ବିଭିନ୍ନ ସମସ୍ୟା ଉପସ୍ଥାପନ କରି ଏହାର ଶୀଘ୍ର ସମାଧାନ ଉପରେ ଗୁରୁତ୍ବ ଦେଇଥିଲେ । ଜିଲ୍ଲାପାଳ ଜିଲ୍ଲାରେ ଗ୍ରହଣ କରାଯାଉଥିବା ଅଭିନବ କାର୍ଯ୍ୟପନ୍ଥା, ଯେପରିକି ପ୍ରବାସୀ ଶ୍ରମିକ ସମସ୍ୟାର ସମାଧାନ ପାଇଁ ଅଭିଯାନ, ବର୍ଦ୍ଧିତ ଜନ ଶୁଣାଣୀ, ପ୍ଲାଷ୍ଟିକ ମୁକ୍ତ ଅଭିଯାନ, ଝିଅପାଇଁ ଗଛଟିଏ , ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ, ପ୍ରାଣୀ ପାଇଁ ଦିନଟିଏ,ପକ୍ଷୀ ପାଇଁ ଦିନଟିଏ, ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ବାସ୍ଥ୍ୟ ସେବା , ଗାଁ ରେ ରାଜସ୍ଵ ପ୍ରଶାସନ, ୱାର୍ଡ ରେ ପୌର ପ୍ରଶାସନ, ମାସିକ ଜିଲ୍ଲା ଉନ୍ନୟନ ବୈଠକ ଇତ୍ୟାଦି ବିଷୟରେ ସୂଚନା ଦେଇଥିଲେ । ଉନ୍ନୟନ ଆୟୁକ୍ତ ଏସବୁର ପ୍ରଶଂସା କରିଥିଲେ । ସମସ୍ତ ଅଧିକାରୀ ମାନଙ୍କୁ ସମନ୍ଵୟ ରକ୍ଷା ପୂର୍ବକ ସମର୍ପିତ ଭାବରେ ସେବା ଯୋଗାଇ ଦେବା ପାଇଁ ସେ ଆହ୍ବାନ ଦେଇଥିଲେ । ଏହାପରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ସାମ୍ବାଦିକ ମାନଙ୍କୁ କହିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆମେ ନୂଆପଡ଼ାକୁ ଆସି ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ବିସ୍ତୃତ ଭାବରେ ସମୀକ୍ଷା କଲୁ। କିଛି ପ୍ରକଳ୍ପ କାମ ଶେଷ ହେଇଯାଇଛି, କିଛି ଆଗେଇ ଚାଲିଛି, କିଛି ପ୍ରକଳ୍ପ ଟେଣ୍ଡର ଆହ୍ବାନ ପ୍ରକ୍ରିୟା ଚାଲିଛି , ଆଉ କିଛି ପ୍ରକଳ୍ପର ଡି ପି ଆର୍ ପ୍ରସ୍ତୁତ ସରିଛି। ଆମେ ସବୁ ପ୍ରକଳ୍ପ ଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କଲୁ। ଆମେ ଆଶା କରିଛୁ, ଜିଲ୍ଲାବାସୀଙ୍କ ସହଯୋଗରେ ଓ ସମସ୍ତ ଅଧିକାରୀଙ୍କ ପ୍ରଚେଷ୍ଟାରୁ ସବୁ ପ୍ରକଳ୍ପ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ ହେବ। ନୂଆପଡ଼ା ପାଇଁ ମୂଖ୍ୟମନ୍ତ୍ରୀଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ରହିଛି ଓ ସେ ବ୍ୟକ୍ତିଗତ ଭାବରେ ନୂଆପଡ଼ା ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ଚେଷ୍ଟିତ ଅଛନ୍ତି। ଉନ୍ନୟନ କମିଶନରଙ୍କ ଗସ୍ତ ପରେ ଜିଲ୍ଲାର ପ୍ରକଳ୍ପ ସବୁ ଶିଘ୍ର କାର୍ଯ୍ୟକ୍ଷମ ହେବ ବୋଲି ଜିଲ୍ଲାବାସୀ ଆଶା ପୋଷଣ କରିଛନ୍ତି ।
ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଘୋଷିତ ବିକାଶ କାର୍ଯ୍ୟର ସମୀକ୍ଷା କଲେ ଉନ୍ନୟନ କମିଶନର ଦେଓରଂଜନ କୁମାର ସିଂ
Monday, January 12, 2026
0

