ସେବିକା ନିଯୁକ୍ତି ଦାବିରେ ବିଦ୍ୟାଳୟ ଫାଟକରେ ତାଲା, ପୁଲିସ ହସ୍ତକ୍ଷେପ ପରେ ସ୍ଥିତି ସାଧାରଣ

ଆଜତକ ଓଡ଼ିଶା
0


ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଭରୁଆମୁଣ୍ଡା ପଞ୍ଚାୟତର ଚଚରାଭଟା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବୁଧବାର ଏକ ଅସାଧାରଣ ଘଟଣା ଦେଖାଦେଇଛି। ଶିଶୁ ସେବିକା ପଦରେ ନିଜ ଝିଅଙ୍କୁ ନିଯୁକ୍ତ କରାଯିବା ଦାବିରେ ସୁନାଦେଇ ଛତ୍ରିଆ ନାମକ ଜଣେ ମହିଳା ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ।

ଏହାର ପରିଣାମସ୍ୱରୂପ ବିଦ୍ୟାଳୟର ଶିକ୍ଷକ–ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଦୀର୍ଘ ସମୟ ଧରି ବିଦ୍ୟାଳୟ ଫାଟକ ବାହାରେ ବସି ରହିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପ୍ରଧାନଶିକ୍ଷକ ଈଶ୍ୱରଲାଲ ମେହେର ତୁରନ୍ତ ପ୍ରଶାସନକୁ ଅବଗତ କରାଇଥିଲେ।

ସୂଚନା ଅନୁସାରେ, ଉକ୍ତ ବିଦ୍ୟାଳୟରେ ଜଣେ ଶିଶୁ ସେବିକା ନିଯୁକ୍ତି ପାଇଁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ପଦବୀ ପାଇଁ ମୋଟ ୧୨ଜଣ ପ୍ରାର୍ଥିନୀ ଆବେଦନ କରିଥିଲେ ଓ ବୁଧବାର ଚୟନ ପ୍ରକ୍ରିୟା ହେବାକୁ ଥିଲା। କିନ୍ତୁ ପ୍ରାର୍ଥିନୀମାନଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ହେବାରୁ ଚୟନ ପ୍ରକ୍ରିୟା ସମ୍ପନ୍ନ ହୋଇପାରିଲା ନାହିଁ ଓ ଏହାକୁ ସ୍ଥଗିତ ରଖାଯାଇଛି।


ପ୍ରକାଶ ଥାଉକି, ଏହି ପଦବୀ ପାଇଁ ସୁନାଦେଇ ଛତ୍ରିଆଙ୍କ ଝିଅ ଡୋଲେଶ୍ୱରୀ ଛତ୍ରିଆ ମଧ୍ୟ ଆବେଦନ କରିଥିଲେ। ବିଦ୍ୟାଳୟ ତାଙ୍କ ସ୍ୱାମୀଙ୍କ ନାମରେ ଥିବା ଜମିରେ ନିର୍ମିତ ବୋଲି ଦାବି କରି, ସୁନାଦେଇ ନିଜ ଝିଅଙ୍କୁ ନିଯୁକ୍ତ କରାଯିବା ପାଇଁ ଅଡ଼ି ବସିଥିଲେ ଏବଂ ଏହି ଦାବିରେ ବିଦ୍ୟାଳୟରେ ତାଲା ପକାଇଥିଲେ।

ପରେ ସିନାପାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁନାଦେଇଙ୍କୁ ବୁଝାସୁଝା କରିବା ପରେ ବିଦ୍ୟାଳୟର ଫାଟକ ଖୋଲାଯାଇଥିଲା ଓ ପରିସ୍ଥିତି ସାଧାରଣ ହୋଇଥିଲା।

ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଥିବାବେଳେ, ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ନ୍ୟାୟସଙ୍ଗତ ଓ ନିୟମାନୁସାରେ ସମାଧାନ କରିବାକୁ ସାଧାରଣ ଦାବି ଉଠିଛି।

Post a Comment

0 Comments

Please Select Embedded Mode To show the Comment System.*

3/related/default