କଣ୍ଟାବାଞ୍ଜି (ଆଜତକ ଓଡ଼ିଶା) : ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଳ ପଞ୍ଚାୟତର ଦାବ୍ରି ଗାଁର ବିଭିନ୍ନ ମୌଳିକ ସମସ୍ୟାକୁ ନେଇ ଆଜି ମାଁ ଦୁଆରସନୀ ୟୁଥ୍ କ୍ଲବ୍ ପକ୍ଷରୁ ତୁରେକେଲା ବ୍ଲକ ବିଡିଓଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ଦିଆଯାଇଛି। ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଗାଁର ବସ୍ତି ୩ ଛକ ରାସ୍ତାଠାରୁ ଗଣ୍ଡାପଡ଼ା ପହରି ମଣ୍ଡପ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ ଓ ଅଙ୍ଗନୱାଡ଼ି କେନ୍ଦ୍ର ଠାରୁ ଟାଣପଡ଼ା ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ ଅତ୍ୟନ୍ତ ଆବଶ୍ୟକ। ସେହିପରି ଗାଁର ସମସ୍ତ ପଡ଼ାର ରୋଡ଼ ରାସ୍ତା ଉପରେ ପାଣି ଜମି ରହୁଥିବାରୁ ଡ୍ରେନ ନିର୍ମାଣ ନିହାତି ଆବଶ୍ୟକ ବୋଲି ଦାବି କରାଯାଇଛି।
ଏହା ସହ ଗାଁବସ୍ତି ଛକଠାରୁ ମାଟିଗୁଡ଼ି ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ ପାଇଁ ଲେଖିତ ଦାବି ରଖାଯାଇଛି। ଗାଁର ୫ଟି ପଡ଼ାରେ ଏପର୍ଯ୍ୟନ୍ତ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ହୋଇନଥିବା ମଧ୍ୟ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି। ଏନେଇ ବିଡିଓ କହିଛନ୍ତି ଯେ, ରୋଡ଼ ରାସ୍ତା ଓ ଡ୍ରେନ ଗାଁର ଗୁରୁତ୍ୱପୂର୍ଣ୍ଣ ସମସ୍ୟା ହେବାରୁ ଏହା ଉପରେ ଗମ୍ଭୀର ଭାବେ ନଜର ଦିଆଯିବ। ଷ୍ଟ୍ରିଟ୍ ଲାଇଟ୍ ସମ୍ପର୍କରେ ସେ କହିଛନ୍ତି ଯେ, ଏହି ବିଷୟରେ ହିଆଳ ପଞ୍ଚାୟତର ସରପଞ୍ଚ ଆଜ୍ଞାଙ୍କୁ ଅବଗତ କରାଯିବ। ଅଭିଯୋଗ ପତ୍ର ଦେବା ସମୟରେ ମାଁ ଦୁଆରସନୀ ୟୁଥ୍ କ୍ଲବ୍ ର ସଭାପତି ଶ୍ରୀ ରାଜୁ ଛତ୍ରିଆ, କ୍ଲବ୍ ସହଯୋଗୀ ଶ୍ରୀ ରୁକ୍ଷ କର୍ତ୍ତା ଚନ୍ଦନ, ଏକ୍ଟିଭ୍ ମେମ୍ବର ଶ୍ରୀ ଜିତେନ୍ଦ୍ର ଚନ୍ଦନ ଓ କ୍ଲବ୍ ଘର ଦାୟିତ୍ୱରେ ଥିବା ଶ୍ରୀ ବିଦୁର ନାଗ ଉପସ୍ଥିତ ଥିଲେ।


