ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ଆଜତକ ଓଡ଼ିଶା
0

ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ) ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା। ମଧ୍ୟରାତ୍ର ୧୨ଟା ଯାଏଁ ଏହି କଟକଣା ବଳବତ୍ତର ରହିବ। ଏମ୍‌ଭି ୨୬ ଓ ରାଖେଲଗୁଡା ଗାଁ ମଧ୍ୟରେ ବିବାଦକୁ ନେଇ କଟକଣା ବୃଦ୍ଧି କରାଯାଇଛି। ଲାକେ ପୋଡ଼ିଆମୀଙ୍କ ମୁଣ୍ଡବିହୀନ ମୃତଦେହ ମିଳିବାକୁ ନେଇ ରାଖେଲଗୁଡ଼ା ଓ ଏମ୍‌ଭି-୨୬ ଗାଁ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ହ୍ରାସ ସହ ଶାନ୍ତି ଫେରିବାରେ ଲାଗିଛି। ବୁଧବାର ଜିଲାପାଳଙ୍କ ଅଧ୍ୟକ୍ଷତାରେ ଶାନ୍ତି ବୈଠକ ଅନୁଷ୍ଠିତ ହୋଇଥିଲା। ଏମଭି-୨୬ ଗାଁକୁ କିଛି ବଙ୍ଗାଳି ସମ୍ପ୍ରଦାୟ ଲୋକ ଫେରିଛନ୍ତି। ନିଆଁ ଲିଭିବା ପରେ ଲୋକେ ପାଉଁଶ ଭିତରୁ ନିଜର ଉଜୁଡ଼ି ଯାଇଥିବା ସଂସାରକୁ ପୁଣି ଥରେ ସଜାଡ଼ିବାକୁ ଚେଷ୍ଟା କରୁଛନ୍ତି। ଲୋକଙ୍କୁ ରହିବା ଲାଗି ଜାଗା ନଥିବା ବେଳେ ଖାଇବାକୁ ମଧ୍ୟ ନାହିଁ। କିଏ ଝିଅ ବାହାଘର ପାଇଁ ତ’ ଆଉ କିଏ ଧାନ ବିକ୍ରି କରି ଟଙ୍କା ରଖିଥିଲେ । ଏହାସହ ଲୋକଙ୍କ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ପାଉଁଶ ହୋଇଛି। ଜିଲ୍ଲା ପ୍ରଶାସନ କ୍ଷୟକ୍ଷତି ଆକଳନ କରୁଛି। ସେମାନଙ୍କୁ ରନ୍ଧାଖାଦ୍ୟ ସହ ଶୀତବସ୍ତ୍ର ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଗାଁରେ ସବୁ କିଛି ପୋଡ଼ି ଛାରଖାର ହୋଇଯାଇଛି। ଶତାଧିକ ଘର ନିଆଁରେ ପୋଡ଼ି ପାଉଁଶ ହେବା ପରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି, ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯାଇଛି। ଲୋକଙ୍କ ଘର ଭିତରୁ ଅଫୁଟା ବିସ୍ଫୋରକ ସାମଗ୍ରୀ ବାହାରିଥିବା ସୂଚନା ମିଳିଛି। ବିସ୍ଫୋରକ ସାମଗ୍ରୀ ମିଳିବା ପରେ ବାହାର ଲୋକଙ୍କ ସମ୍ପୃକ୍ତି ସନ୍ଦେହ କରାଯାଉଛି। ମାଲକାନଗିରି ପୁଲିସ ସବୁଦିଗରୁ ତଦନ୍ତ କରୁଛି। ଏମଭି-୨୬ ଗାଁ ଚାରିପଟେ ୨୦ କମ୍ପାନୀ ସିଆର୍‌ପିଏଫ୍‌ ଯବାନ ମୁତୟନ କରାଯାଇଛି।ସେପଟେ ମାଲକାନଗିରିରେ ପହଞ୍ଚିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ତାଙ୍କ ସହ ଅଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଏକ ସ୍ଵତନ୍ତ୍ର ବିମାନ ଯୋଗେ ମାଲକାନଗିରି ଏୟାରପୋର୍ଟରେ ପହଞ୍ଚିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସମୀକ୍ଷା ବୈଠକ କରିଛନ୍ତି । ଏମ୍ଭି ୨୬ ହିଂସାକାଣ୍ଡ ଓ ଏହାର ପରବର୍ତ୍ତୀ ଅବସ୍ଥାକୁ ନେଇ ଉପ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ଜିଲ୍ଲାପାଳ । ବୈଠକରେ ଉପସ୍ଥିତ ଥିଲେ ଦକ୍ଷିଣାଞ୍ଚଳ RDC ସଂଗ୍ରାମ କେଶରୀ ମହାପାତ୍ର ADG ସଞ୍ଜୀବ ପଣ୍ଡା ଡିଆଇଜି କନୱର ବିଶାଲ ସିଂ ଓ ମାଲକାନଗିରି ଏସ୍ପି ବିନୋଦ ପାଟିଲ ଓ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ।ରାଜ୍ୟ ସରକାର ଘଟଣାକୁ ଗୁରୁତର ଭାବେ ନେଇ ଶାନ୍ତି ପ୍ରତିଷ୍ଠା ଲାଗି ଅଧିକ ପୋଲିସ ମୁତୟନ କରିଥିବା କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି । ସୁରକ୍ଷା ଦୃଷ୍ଟିରୁ ମାଲକାନଗିରି ଜିଲ୍ଲାରେ ଇଣ୍ଟରନେଟ୍ ସେବା ପୁଣି ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରିଛନ୍ତି ଜିଲ୍ଲାପାଳ । ଗୁରୁବାର ଅପରାହ୍ନ ୧୨ଟାରୁ ରାତି ୧୨ଟା ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ବର୍ତ୍ତମାନ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି ।

Post a Comment

0 Comments

Please Select Embedded Mode To show the Comment System.*

3/related/default