ଝରିଗାଁ : ବିଧାନସଭାରେ ବିରୋଧୀଙ୍କୁ ମୁହଁ କଡା ଜବାବ୍ ଦେଇଛନ୍ତି ଝରିଗାଁ ବିଧାୟକ ନରସିଂହ ଭତ୍ରା। ମଙ୍ଗଳବାର ଗୃହର ପ୍ରଶ୍ନକାଳରେ ପଟାଙ୍ଗୀ କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଡାମ, ରାଜଗାଙ୍ଗପୁର ବିଧାୟକ ସି.ଏସ୍. ରାଜେନ୍ ଏକ୍କା, ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ଏବଂ ମୋହନା ବିଧାୟକ ଦାଶରଥୀ ଗମାଙ୍ଗଙ୍କ ଦ୍ଵାରା ଅନ୍ଵେଷା ଯୋଜନାରେ ବହୁ ଛାତ୍ରଛାତ୍ରୀଙ୍କ ଆଡମିସନ ହୋଇନଥିବା ଯୋଗୁଁ ଅନୁସୂଚିତ ଜାତି ଏବଂ ଜନଜାତି ଛାତ୍ରଛାତ୍ରୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଏହା ଷଡଯନ୍ତ୍ର ବୋଲି ଅଭିଯୋଗ କରି ଏନେଇ ମୁଲତବୀ ପ୍ରସ୍ତାବ ଆଗତ କରାଯାଇଥିଲା। ତେବେ ଏହାର ଜବାବ ଦେଇ ନବରଙ୍ଗପୁର ଜିଲ୍ଲା ଝରିଗାଁର ଯୁବ ବିଧାୟକ କହିଥିଲେ ତାଙ୍କ ସରକାର ଦେଶର ସର୍ବୋଚ୍ଚ ପଦବୀରେ ଜଣେ ଅନୁସୂଚିତ ଜନଜାତିର ମହିଳାଙ୍କୁ ଅବସ୍ଥାପିତ କରିଥିବା ବେଳେ, ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଜଣେ ଅନୁସୂଚିତ ଜନଜାତିର ବ୍ୟକ୍ତିଙ୍କୁ ଦାୟିତ୍ଵ ଦେଇଛନ୍ତି । ସେହିପରି ମନ୍ତ୍ରୀ ମଣ୍ଡଳରେ ମଧ୍ୟ ଚାରି ଚାରି ଜଣ ଅନୁସୂଚିତ ଜାତିର ବିଧାୟକଙ୍କୁ ମନ୍ତ୍ରୀ ଭାବେ ଦାୟିତ୍ଵ ଦିଆଯାଇଛି। ଏପରିକି ରାଜ୍ୟର ଅନୁସୂଚିତ ଜାତି ଏବଂ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣକୁ ସୁଗମ କରିବା ପାଇଁ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିବା ସହ ଉକ୍ତ ଅଞ୍ଚଳରେ ଥିବା ବିଦ୍ୟାଳୟ ଗୁଡିକୁ ଉନ୍ନୀତ କରିବା ସହ ଉକ୍ତ ବିଦ୍ୟାଳୟରେ ଛାତ୍ରାବାସ ସୁବିଧାକୁ ତ୍ୱରାନ୍ୱିତ କରିଛନ୍ତି। ଏପରିକି କେନ୍ଦ୍ର ସରକାର ପ୍ରତ୍ୟେକ ବ୍ଲକରେ ଏକଲବ୍ୟ ବିଦ୍ୟାଳୟ ସ୍ଥାପନ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥି ସହିତ ସରକାର ଅଧାରୁ ପାଠ ଛାଡିଥିବା ପିଲାଙ୍କୁ ପୁଣି ଥରେ ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ମାଧ୍ୟମରେ ଉକ୍ତ ପିଲାଙ୍କୁ ୫ ହଜାର ଆର୍ଥିକ ପ୍ରୋତ୍ସାହନ ରାଶି ଘୋଷଣା କରିଥିବା ସହ ଆସ ଆମ ସ୍କୁଲ ଯିବା କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି। ତେଣୁ ବିରୋଧୀଙ୍କ ଏଭଳି ଭିତ୍ତିହୀନ ଅଭିଯୋଗ ହାସ୍ୟାସ୍ପଦ ବୋଲି ବିଧାୟକ କହିବା ସହ ଏପରି ମୁଲତବୀ ପ୍ରସ୍ତାବକୁ ଭିତ୍ତିହୀନ ବୋଲି କହିଥିଲେ।
ଝରୀଗାଁ ରୁ ବୁଦୁରାମ ଗଣ୍ଡ ଙ୍କ ରିପୋର୍ଟ ଆଜତକ ଓଡିଶା

