ପ୍ରଚଣ୍ଡ ଶୀତ କାକରେ ମଧ୍ୟ ଲୋକକଳା ଆଗରେ ହାରିଲା ରାତି
କଣ୍ଟାବାଞ୍ଜି, ୨୨/୧୨ (ଆଜତକ ଓଡ଼ିଶା): ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଲୋକ ମହୋତ୍ସବ ଆଡ଼ମ୍ବରପୂର୍ଣ୍ଣ ଭାବେ ଉଦଯାପିତ ହୋଇଯାଇଛି। ରବିବାର ଦିନ ଥିଲା ଏହି ମହୋତ୍ସବର ଶେଷ ରଜନୀ। ଶେଷ ରଜନୀରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପାରମ୍ପରିକ ଓ ସାଂସ୍କୃତିକ ଲୋକନୃତ୍ୟ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା। କଳାକାରମାନଙ୍କ ଦ୍ୱାରା ପ୍ରଦର୍ଶିତ କଳା ଅତ୍ୟନ୍ତ ନିଖୁଣ ଓ ଆକର୍ଷଣୀୟ ଥିଲା। ୨୦୨୫ ମସିହାରେ ଆୟୋଜିତ ସପ୍ତମ ବର୍ଷର ଏହି କଣ୍ଟାବାଞ୍ଜି ଲୋକ ମହୋତ୍ସବ ଯୁଗଯୁଗାନ୍ତ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ସାଂସ୍କୃତିକ ପ୍ରେମୀମାନେ କହିଛନ୍ତି। ଶେଷ ରଜନୀରେ ରାୟଗଡ଼ାର ଗୁପ୍ତେଶ୍ୱର ଟୀକା ଗ୍ରୁପ ପକ୍ଷରୁ ଢେମସା ନୃତ୍ୟ, ବଲାଙ୍ଗୀରର ଗୌର ପ୍ରସାଦ ମହାପାତ୍ରଙ୍କ ପଞ୍ଚମ ଗ୍ରୁପ ଦ୍ୱାରା ନବଦୁର୍ଗା ଓଡ଼ିଶୀ ନୃତ୍ୟ, ବରଗଡ଼ର ଫୁଲ ଗଜରା ନୃତ୍ୟ ଏବଂ ଟିଟିଲାଗଡ଼ର ବୀଣାପାଣି ନୃତ୍ୟ–ସଙ୍ଗୀତ ଅନୁଷ୍ଠାନ ପକ୍ଷରୁ ଆକର୍ଷଣୀୟ କଳା ପ୍ରଦର୍ଶନ କରାଯାଇଥିଲା। ସେହିପରି ମୁରିବାହାଲର ସୁଦର୍ଶନ ଦୀପଙ୍କ ଆଦିବାସୀ ପାରମ୍ପରିକ ଢାପ ବାଜା ନୃତ୍ୟ, ଜ୍ଞାନ ଭାରତୀ ପ୍ଲସ–୨ କଲେଜ, ଦିଶା ଓ ଜେ.ଏମ.ଜି. ଇଂଲିଶ ମିଡିୟମ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ନୃତ୍ୟ ପରିବେଷଣ ପ୍ରଚଣ୍ଡ ଶୀତ କାକର ସତ୍ତ୍ୱେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକଙ୍କୁ ମଞ୍ଚ ସହ ଜଡ଼ି ରଖିଥିଲା।
କୋଭିଡ–୧୯ ମହାମାରୀ କାଳରେ ବନ୍ଦ ହୋଇଥିବା ଏହି ଲୋକ ମହୋତ୍ସବକୁ ବରିଷ୍ଠ କଳାକାର ଶ୍ରୀ ଅଜୟ ଦାସ ୨୦୧୩ ମସିହାରେ ଆରମ୍ଭ କରିଥିଲେ। ସ୍ଥାନୀୟ ନାଗରିକମାନଙ୍କ ପ୍ରଚେଷ୍ଟାରେ ଚଳିତ ବର୍ଷ ଏହା ପୁନର୍ଜୀବନ ପାଇ ସଫଳ ଭାବେ ସମ୍ପନ୍ନ ହୋଇଛି। ଅନ୍ତିମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷା (ଅନୁସୂଚିତ ଜାତି ଓ ଜନଜାତି) ଶ୍ରୀମତୀ ନିରୁପମା ମାଝି ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ବିଜେଡ଼ି ନେତା ଗିରୀରାଜ ସିଂ ମାଝି ଓ ସମାଜସେବୀ ରୁପେଶ ଜୈନ ପ୍ରମୁଖ ଉପସ୍ଥିତ ଥିଲେ। ମହୋତ୍ସବ କମିଟିର ସଭାପତି ଅଶୋକ ଦାସ, ସାଧାରଣ ସମ୍ପାଦକ ଚିନ୍ମୟ କୁମାର ଯୋଶୀ, କାର୍ଯ୍ୟକାରୀ ସଭାପତି ବିନୟ ବିଭାର ଓ ଉପାଧ୍ୟକ୍ଷ ଦେବରାଜ ଯାଦବ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରଥମ ରଜନୀରେ ୧୦ ହଜାରରୁ ଅଧିକ, ଦ୍ୱିତୀୟ ରଜନୀରେ ତାହାଠାରୁ ଦ୍ୱିଗୁଣ ଏବଂ ଅନ୍ତିମ ରଜନୀରେ ପ୍ରାୟ ୨୫ ହଜାର ଦର୍ଶକ ମହୋତ୍ସବରେ ସାମିଲ ହୋଇଥିଲେ। ଅନେକ ବାଦ–ବିବାଦ ଓ କଟକଣା ସତ୍ତ୍ୱେ ଚଳିତ ବର୍ଷ କଣ୍ଟାବାଞ୍ଜି ଲୋକ ମହୋତ୍ସବ ସଫଳତା ହାସଲ କରିଛି।

