ହଇରାଣ ହେଉଛନ୍ତି ରୋଗୀ ; ମଧ୍ୟାହ୍ନ ୧୨ ନ ହେଉଣୁ ହସ୍ପିଟାଲ ବନ୍ଦ
ମୁରିବାହାଲ ,୦୯।୧୨ (ନ୍ୟୁଜ ବ୍ୟୁରୋ) ଅବ୍ୟବସ୍ଥା ମଧ୍ୟରେ ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗତି କରୁଛି । ବଲାଙ୍ଗିର ଜିଲ୍ଲା ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଞ୍ଚଳର ସମସ୍ତ ଲୋକ ନିର୍ଭର କରନ୍ତି ହେଲେ ଡାକ୍ତରଖାନାର କର୍ମଚାରୀମାନଙ୍କ ଅବହେଳା ଯୋଗୁଁ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାର ଦେଖିବାକୁ ମିଳିଛି । ଦିନ ୧୨ ଟା ସମୟ ନ ପୂରୁଣୁ ଗେଟ ବନ୍ଦ କରିଦେଉଥିବା ରୁ ପ୍ରତିଦିନ ରୋଗୀମାନେ ହସ୍ପିଟାଲ ଗେଟ ସମ୍ମୁଖରେ ବସିଥିବାର ଦେଖିବାକୁ ମିଳୁଛି ଓ ଗେଟ ବନ୍ଦ ଥିବାରୁ ରୋଗୀ ଆସି ଫେରିଯାଉଥିବାର ଅଭିଯୋଗ ମଧ୍ୟ ହୋଇଛି । ଗର୍ଭବତୀ ମାନେ ଉପଯୁକ୍ତ ଚିକିତ୍ସା ପାଇପାରୁନଥିବାର ମଧ୍ୟ ଅଭିଯୋଗ ହେଉଛି। ଏପରି ଏକ ଅଭିଯୋଗ କରିଛନ୍ତି ଗୋଇମୁଣ୍ଡ ଗ୍ରାମପଞ୍ଚାୟତର ବୁଢୀପଦର ଗ୍ରାମର ପୁରୁଷୋତ୍ତମ ଦାସ (ବୟସ ୭୦) ତାଙ୍କୁ ଦୀର୍ଘ ୧୫/୨୦ଦିନ ହେବ ବହୁତ କାଶ ହେଉଥିବାରୁ ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉପଯୁକ୍ତ ଚିକିତ୍ସା ପାଇଁ ସୋମବାର ଦିନ ଆସିଥିଲେ ।
ଡାକ୍ତର ତାଙ୍କୁ କିଛି ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ। ପରୀକ୍ଷାଗାରର କାର୍ଯ୍ୟରତ ନର୍ସ ମଙ୍ଗଳବାର ଦିନ ୧୨ଟା ସମୟରେ ଆସି ରିପୋର୍ଟ ନେଇଯିବେ ବୋଲି କହିଥିଲେ ହେଲେ ମଙ୍ଗଳବାର ଦିନ ୧୨ଟା ସମୟରେ ପହଞ୍ଚିଲା ବେଳକୁ ହସ୍ପିଟାଲ ବନ୍ଦ ହୋଇ ଡାକ୍ତର ଓ ନର୍ସ କେହି ନ ଥିବାରୁ ନିରାଶରେ ଦୀର୍ଘ ୧୫ କିମି ଘରକୁ ଫେରୁଥିବାର ଦେଖିବାକୁ ମିଳିଥିଲା। ବନ୍ଦ ନେଇ ପଚାରିବାରୁ ପ୍ରତ୍ୟେକ ଦିନ ୧୨ଟା ରୁ ୩ଟା ପର୍ଯ୍ୟନ୍ତ ବନ୍ଦ ରୁହେ ବୋଲି ହସ୍ପିଟାଲ କର୍ମଚାରୀ ମାନେ ପ୍ରତିକ୍ରିୟା ରଖିଥିଲେ। ଜାରୁରୀକାଳୀନ ଅବସ୍ଥାରେ ରୋଗୀ ମାନଙ୍କୁ ଔଷଧ ମଧ୍ୟ ମିଳୁନଥିବାର କହିଛନ୍ତି । ୩ଟା ରେ ହସ୍ପିଟାଲ ଖୋଲାଯାଏ ହେଲେ କେହି ନର୍ସ କି କର୍ମଚାରୀ ଆସୁନଥିବାର ଓ ଅଭିଯୋଗ କଲେ ନାଲି ଆଖି ଦେଖାନ୍ତି ବୋଲି କହିଛନ୍ତି ସ୍ଥାନୀୟ ଲୋକେ। ଏ ବିଷୟରେ ଡ଼ାକ୍ତର ମେହେରକୁ ପଚାରିବାରୁ ୧୨ରୁ ୩ଟା ପର୍ଯ୍ୟନ୍ତ ହସ୍ପିଟାଲ ବନ୍ଦ ରହେ ବୋଲି ଏବଂ ଔଷଧ ସେବା କେନ୍ଦ୍ର ମଧ୍ୟ ବନ୍ଦ ରହେ ବୋଲି ପ୍ରତିକ୍ରିୟା ଦେଇଥିଲେ। ଜରୁରୀକାଳୀନ ସମୟରେ ହସ୍ପିଟାଲ ଖୋଲି ସମସ୍ତ ରୋଗୀଙ୍କୁ ଉପଯୁକ୍ତ ସେବା କିପରି ମିଳିବ ସେଥିପ୍ରତି ପ୍ରଶାସନ ଧ୍ୟାନଦେବା ପାଇଁ କହିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀମାନେ।


