ନଦୀରେ ବୁଡ଼ି ନାବାଳକ ମୃତ, ଅଞ୍ଚଳରେ ଶୋକର ଛାୟା

ଆଜତକ ଓଡ଼ିଶା
0

ସିନାପାଲି (ପରମେଶ୍ୱର ମେହେର) ସିନାପାଲି ଥାନା ଅନ୍ତର୍ଗତ କରାଡଙ୍ଗରି ବଣଭୋଜି ସ୍ଥଳୀରେ ଏକ ହୃଦୟବିଦାରକ ଘଟଣା ଘଟିଛି । ବଣଭୋଜି ସମୟରେ ସନ୍ଦେହଜନକ ଭାବରେ ନଦୀରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳକ ହେଲେ ସିନାପାଲି ମାଝିପଡ଼ା ନିବାସୀ ରଜନୀ ମାଝୀଙ୍କ ସାନ ପୁଅ ଓମ କୁମାର ମାଝୀ (୧୬)। ସୂଚନା ଅନୁଯାୟୀ, ଓମ କୁମାର ତାଙ୍କ ପଡ଼ୋଶୀ ସାଙ୍ଗସାଥୀ ଓ କିଛି ସମ୍ପର୍କୀୟଙ୍କ ସହ ବଣଭୋଜି ପାଇଁ ନଙ୍ଗଲବୋଡ଼ ନିକଟସ୍ଥ କରାଡଙ୍ଗରି ଉଦନ୍ତି ନଦୀ ପର୍ଯ୍ୟଟନ ସ୍ଥଳୀକୁ ଯାଇଥିଲେ । ସେଠାରେ ଖେଳୁଥିବା ସମୟରେ ଅଜାଣତେ ନଦୀର ପାଣିରେ ପଡ଼ି ଯାଇ ଓମ ଆଚେତ ହୋଇଯାଇଥିଲେ । ସାଙ୍ଗସାଥୀ ଓ ସମ୍ପର୍କୀୟମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ । ହେଲେ ଡାକ୍ତର ଯାଞ୍ଚ ପରେ ନାବାଳକକୁ ମୃତ ଘୋଷଣା କରିଥିଲେ । ଘଟଣାର ସୂଚନା ପାଇ ସିନାପାଲି ଥାନାର ଏଏସଆଇ ତରୁଣ କୁମାର ସାହୁ ସହ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳ ଓ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏ ନେଇ ସିନାପାଲି ଥାନାରେ କେସ ନମ୍ବର ୧୮/୨୫ ରେ ଏକ ମାମଲା ରୁଜୁ ହୋଇଛି । ମୃତ ଓମ କୁମାର ମାଝୀ ଜଣେ ପ୍ରତିଭାଶାଳୀ କ୍ରିକେଟ ଖେଳାଳି ଥିଲେ । ସେ ଅଞ୍ଚଳର ଗୌରବ ଭାବେ ପରିଚିତ ଥିଲେ ଏବଂ ସମ୍ପ୍ରତି ଓଡ଼ିଶା ଅଣ୍ଡର–୧୯ ରେଡ୍ ଟେନିସ ବଲ୍ ଟିମରେ ରାଜ୍ୟ ସ୍ତରରେ ଚୟନିତ ହୋଇଥିଲେ । ସେ ଟିମନପୁର ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନରତ ଥିଲେ ଏବଂ ଏକ ମିଷ୍ଟଭାଷୀ, ସଭ୍ୟ ଛାତ୍ର ଭାବେ ପରିଚିତ ଥିଲେ । ତାଙ୍କର ଏହି ଅକାଳ ବିୟୋଗରେ ସିନାପାଲି ଓ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Post a Comment

0 Comments

Please Select Embedded Mode To show the Comment System.*

3/related/default