୧୭ରୁ ୩୦ ନଭେମ୍ବର ପର୍ଯ୍ୟନ୍ତ କୁଷ୍ଠ ନିରାକରଣ ଅଭିଯାନ

ଆଜତକ ଓଡ଼ିଶା
0

ନୂଆପଡ଼ା, ସିନାପାଲି: (ପରମେଶ୍ୱର ମେହେର): ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୭ ମସିହା ସୁଦ୍ଧା ଓଡିଶାକୁ କୁଷ୍ଠ ମୁକ୍ତ କରିବା ଲକ୍ଷ୍ୟ ରଖିଥିବା ପରିପ୍ରେକ୍ଷିରେ ନୂଆପଡ଼ା ଜିଲ୍ଲାରେ ଆସନ୍ତା ୧୭ ନଭେମ୍ବରରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ବ୍ୟାପକ କୁଷ୍ଠ ନିରାକରଣ ଅଭିଯାନ ଆରମ୍ଭ ହେବ । ଏନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସମସ୍ତ ପ୍ରସ୍ତୁତି ସମାପ୍ତ କରିଛି । ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଲା ଲୁକ୍କାଇତ କୁଷ୍ଠ ଛଉଙ୍କୁ ଚିହ୍ନଟ କରି ତାଙ୍କର ସମୟୋଚିତ ଚିକିତ୍ସା, କୁଷ୍ଠ ରୋଗ ପ୍ରତି ସମାଜରେ ଥିବା ଭ୍ରମ ଓ ଘୃଣା ଦୂର କରିବା, ସଂକ୍ରମଣ କୁ ରୋକିବା ଏବଂ କୁଷ୍ଠ ରୋଗ ନିମିତ୍ତ ଶାରୀରିକ ବିକଳାଙ୍ଗ ହୋଇଥିବା ରୋଗୀମାନଙ୍କୁ ଚିହ୍ନଟ କରି ମାଗଣାରେ ଅସ୍ତ୍ରୋପଚାର ସୁବିଧା ଦେବା । ଅଭିଯାନ ସମୟରେ ସମସ୍ତ ଆଶା କର୍ମୀ ଏବଂ ସ୍ୱାସ୍ଥ୍ୟ କର୍ମୀମାନେ ଘରେଘରେ ପହଞ୍ଚି କୁଷ୍ଠ ସନ୍ଦେହାସ୍ପଦ ଛଉମାନଙ୍କୁ ଚିହ୍ନଟ କରି ନିକଟସ୍ଥ ଚିକିତ୍ସାଳୟ କୁ ପଠାଇବେ । ସେଠାରେ ଡାକ୍ତରମାନେ ଯଦି ରୋଗୀକୁ କୁଷ୍ଠ ରୋଗୀ ବୋଲି ନିଶ୍ଚିତ କରିବେ ତେବେ ତାଙ୍କୁ ମାଗଣାରେ ଔଷଧ ଦେଇ ସମ୍ପୂର୍ଣ୍ଣ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ।ଏହି ଅଭିଯାନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧନେଶ୍ୱର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ, କୁଷ୍ଠ ରୋଗ ନିରାକରଣ ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ତନ୍ମୟ ତ୍ରିପାଠୀଙ୍କ ନେତୃତ୍ୱରେ ପରିଚାଳିତ ହେବ । ଏଥିରେ ଡିଏଲସି ଡାକ୍ତର ଅନିତା ସାହୁ ସହଯୋଗ ପ୍ରଦାନ କରୁଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଲୋକମାନଙ୍କୁ ଆହ୍ୱାନ କରିଛି, ଯଦି କେହି ନିଜ ଘର ପରିବାର କିମ୍ବା ପଡ଼ୋଶରେ କୁଷ୍ଠ ସନ୍ଦେହାସ୍ପଦ ସ୍ୱାସ୍ଥ୍ୟ ସମସ୍ୟା ଦେଖନ୍ତି, ତେବେ ତାହାକୁ ଲୁଚାଇ ରଖିବେ ନାହିଁ, ସ୍ୱାସ୍ଥ୍ୟ କର୍ମୀଙ୍କୁ ତତ୍କ୍ଷଣାତ୍ ସୂଚନା ଦେବେ କାରଣ କୁଷ୍ଠ ଚିକିତ୍ସାଯୋଗ୍ୟ ଏବଂ ସମ୍ପୂର୍ଣ୍ଣ ଭାବେ ଆରୋଗ୍ୟ ହୋଇଯାଏ ।

Post a Comment

0 Comments

Please Select Embedded Mode To show the Comment System.*

3/related/default