ନୂଆପଡା (ବିରବଲ ପ୍ରଧାନ) ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ଗଣନା ପ୍ରକ୍ରିୟାକୁ ସୁଚାରୁ ଓ ପାରଦର୍ଶୀ ଭାବରେ ସମ୍ପନ୍ନ କରିବାକୁ ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ପ୍ରକାଶ ବିନ୍ଦୁ ଓ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶଙ୍କ ଉପସ୍ଥିତିରେ ଆଜି ଏକ ତାଲିମ୍ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଭୋଟ ଗଣନାରେ ନିୟୋଜିତ ହେବାକୁ ଥିବା ପୋଲିଂ ସୂପରଭାଇଯର, ସହାୟକ ଏବଂ ମାଇକ୍ରୋ ଅବ୍ଜର୍ଭର ମାନେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲାପାଳ ସମସ୍ତଙ୍କୁ ସ୍ଵାଗତ କରି କହିଲେ ଯେ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ଵାରା ନିର୍ଦ୍ଧାରିତ ନିୟମ ଅନୁସାରେ ଭୋଟ ଗଣନା ପ୍ରକ୍ରିୟାକୁ ସ୍ବଚ୍ଛ, ସୁସ୍ଥ ଓ ପାରଦର୍ଶୀ ଭାବରେ ଆୟୋଜନ କରିବା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ । ଜିଲ୍ଲାପାଳ ପର୍ଯ୍ୟବେକ୍ଷକଙ୍କୁ ଭୋଟ ଗଣତି ସମ୍ବନ୍ଧରେ ପ୍ରଶାସନ ଦ୍ବାରା ଅଦ୍ୟାବଧି ଗ୍ରହଣ କରାଯାଇଥିବା ସମସ୍ତ ପ୍ରସ୍ତୁତି ସମ୍ବନ୍ଧରେ ଅବଗତ କରାଇଥିଲେ । ଗଣତି କେନ୍ଦ୍ର ନେସନାଲ କଲେଜରେ ଦୃଢ ସୁରକ୍ଷା ବ୍ୟବସ୍ଥା ସହିତ ସମସ୍ତ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଗଣନା ଆରମ୍ଭ ପୂର୍ବରୁ ଷ୍ଟ୍ରଙ୍ଗ ରୁମ ମଧ୍ୟରେ ସୁରକ୍ଷିତ ଥିବା ସମସ୍ତ EVM ଓ VVPAT ମେସିନ୍ ଗୁଡ଼ିକ କାଉଣ୍ଟିଙ୍ଗ ହଲ୍ କୁ ଅଣାଯିବ । ଭୋଟ ଗଣନା ପ୍ରକ୍ରିୟା ରିଟର୍ଣିଂ ଅଫିସର୍ ତଥା ଉପ ଜିଲ୍ଲାପାଳ ସୁର୍ମି ସୋରନ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବ । ଏଥି ପାଇଁ ୧୪ ଟି ଗଣତି ଟେବୁଲ୍ ଓ ଡାକ ମତପତ୍ର ପାଇଁ ଗୋଟିଏ ଟେବୁଲ୍ ରହିବ । ପ୍ରଥମେ ପୋଷ୍ଟାଲ ବେଲଟ ଗଣାଯିବ। ତା’ପରେ EVM ମେସିନ୍ର ଭୋଟ ଗଣନା ଆରମ୍ଭ ହେବ।
ଭୋଟିଂ ମେସିନ୍ ର ତଥ୍ୟ କୁ ଫର୍ମ ୧୭ ସି ସହିତ ମେଳ କରାଯିବ । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ପାଞ୍ଚଟି ପୋଲିଂ ସେଣ୍ଟରର VVPAT ସ୍ଲିପ୍ଗୁଡ଼ିକ ଗଣାଯାଇ EVM ଫଳାଫଳ ସହ ମେଳ କରାଯିବ, ଯାହା ଫଳାଫଳର ପାରଦର୍ଶିତା ଓ ନିଷ୍ପକ୍ଷତାକୁ ସୁନିଶ୍ଚିତ ହେବ। ସମସ୍ତ ଗଣନା ପ୍ରକ୍ରିୟା ସିସିଟିଭି ନଜରରେ କରାଯିବ ଓ ଏସବୁର ଭିଡିଓ ରେକର୍ଡିଂ ହେବ । ଏହାର ତଦାରଖ ପାଇଁ ପର୍ଯ୍ୟବେକ୍ଷକ, ନିର୍ବାଚନ ଅଧିକାରୀ ଓ ପୋଲିସ ପ୍ରଶାସନ ଉପସ୍ଥିତ ରହିବେ । ଅନ୍ତିମ ରାଉଣ୍ଡ ଶେଷ ହେବା ପରେ ନିର୍ବାଚନ ଅଧିକାରୀ (Returning Officer) ଦ୍ୱାରା ବିଜେତା ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ଓ ତାଙ୍କୁ ଜୟ ସନଦ (Certificate of Election) ପ୍ରଦାନ କରାଯିବ। ଆଜିର ଏହି ତାଲିମ୍ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ପ୍ରଫୁଲ୍ଲ କୁଯୁର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,ରିଟର୍ଣିଂ ଅଫିସର୍ ତଥା ଉପ ଜିଲ୍ଲାପାଳ ସୁର୍ମି ସୋରନ୍ ତଥା ଗଣନା ପ୍ରକ୍ରିୟାରେ ନିଯୁକ୍ତ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ । ଡେପୁଟି କଲେକ୍ଟର ନିର୍ବାଚନ, ଶେଖ୍ ନସିମ ପାୱାର ପଏଣ୍ଟ ମାଧ୍ୟମରେ ସମସ୍ତ ଗଣତି ପ୍ରକ୍ରିୟା ପ୍ରଦର୍ଶିତ କରିଥିଲେ । ଜିଲ୍ଲାପାଳ କହିଲେ ଯେ ସଂପୂର୍ଣ୍ଣ ପାରଦର୍ଶିତା ସହ ଶାନ୍ତିପୂର୍ଣ୍ଣ ଭାବରେ ଭୋଟ ଗଣନା ସମ୍ପନ୍ନ ହେବ। ଗଣତି ପ୍ରକ୍ରିୟା ସମୟରେ ଦେଖା ଯାଉଥିବା କିଛି ସାଧାରଣ ସମସ୍ୟା ଓ ଏହାର ସମାଧାନ ସମ୍ବନ୍ଧରେ ସେ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ । ଶୃଙ୍ଖଳିତ ଭାବରେ ସମୟାନୁବର୍ତ୍ତିତା ସହିତ ଭୋଟ ଗଣନା କାର୍ଯ୍ୟରେ ଦାୟୀତ୍ଵ ନିର୍ବାହ କରିବା ପାଇଁ ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ବିନ୍ଦୁ ସମସ୍ତ ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଥିଲେ।


