ପରିବାର ପକ୍ଷରୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି; ଦିଆନଗଲେ ଧାରଣା ଚେତାବନୀ
ସିନାପାଲି, (ପରମେଶ୍ଵର ମେହେର) ସିନାପାଲି ବ୍ଲକର ଟିମନପୁର ଗାଁ ନିକଟରେ ବିଜୁ ଏକ୍ସପ୍ରେସ ୱେ ଉପରେ ଆଜି ସକାଳେ ଏକ ଭୟାବହ ସଡକ ଦୁର୍ଘଟଣା ଘଟି ଜଣେ ମହିଳାଙ୍କ ମୃତ୍ୟୁ ଓ ଜଣେ ଗୁରୁତର ଆହତ ହେଇଛନ୍ତି। ରାଣିମୁଣ୍ଡା ଗାଁର ନରସିଂହ ଘିଭେଳା (୫୫) ଓ ତାଙ୍କ ସ୍ତ୍ରୀ ବାସନ୍ତୀ ଘିଭେଳା (୫୦) ଗଡ୍ରାମାଳ ଦିଗକୁ ଯାଉଥିବା ସମୟରେ, ସିନାପାଲି ପଟୁ ଆସୁଥିବା ଟ୍ରକ ନମ୍ବର (UP 13 BT 7057) ସହ ମୁହାଁମୁହିଁ ଧକ୍କା ଲାଗି ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ବାସନ୍ତୀ ଘିଭେଳା ଙ୍କ ମୃତ୍ୟୁ ହୋଇଯାଇଥିଲା, ଯେଉଁଠି ତାଙ୍କ ସ୍ୱାମୀ ନରସିଂହ ଘିଭେଳା ଗୁରୁତର ଆହତ ଅବସ୍ଥାରେ ସିନାପାଲି ହସ୍ପିଟାଲକୁ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଓ ପରିବାର ସଦସ୍ୟମାନେ ଆକ୍ରୋଶିତ ହୋଇ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି। ସେମାନେ ଚେତାବନୀ ଦେଇଛନ୍ତି ଯେ, ଯଦି କ୍ଷତିପୂରଣ ନ ମିଳେ, ତେବେ ମୃତଦେହକୁ ରାସ୍ତା ଉପରେ ରଖି ଧାରଣା ଆନ୍ଦୋଳନ କରିବେ। ଘଟଣାସ୍ଥଳରେ ସିନାପାଲି ପୋଲିସ ପହଞ୍ଚି ଟ୍ରକ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।


