ସୁପରଭାଇଜରଙ୍କ ବଦଳୀ ପାଇଁ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ଆନ୍ଦୋଳନ —୨୨୮ କେନ୍ଦ୍ର ବନ୍ଦ

ଆଜତକ ଓଡ଼ିଶା
0

ବୋଲଗଡ଼, ଖୋର୍ଦ୍ଧା, ତା. 31/10 (ନିମାଇଁ ଚରଣ ମହାରଣା): ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ବ୍ଲକ ଅନ୍ତର୍ଗତ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପରେ କାର୍ଯ୍ୟରତ ମହିଳା କ୍ଷେତ୍ର ପରିଦର୍ଶିକା ଶ୍ରୀମତୀ ପ୍ରଭାତି ପରିଡ଼ାଙ୍କ ବଦଳୀ ଦାବିକୁ ନେଇ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ଶୁକ୍ରବାର ଦିନ ବିଶାଳ ଆନ୍ଦୋଳନ କରିଥିଲେ। ବଦଳୀ ଦାବିରେ ଦୀର୍ଘ ସମୟ ଧରି ପ୍ରଶାସନୀୟ ପଦକ୍ଷେପ ନ ହେବାରୁ ସେମାନେ ଆଜି ୨୨୮ଟି କେନ୍ଦ୍ର ବନ୍ଦ କରି ଧାରଣା ଓ ରାଲି ଆୟୋଜନ କରିଥିଲେ।କର୍ମୀ ଓ ସହାୟିକାମାନଙ୍କ ଅଭିଯୋଗ ଅନୁସାରେ, ପରିଦର୍ଶିକା ଶ୍ରୀମତୀ ପରିଡ଼ା କ୍ଷେତ୍ର ପରିଦର୍ଶନକୁ ନ ଯାଇ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଡାକି ମାନସିକ ନିର୍ଯ୍ୟାତନା ଦେଉଛନ୍ତି। ଏହି କାରଣରୁ କେତେକ କର୍ମୀଙ୍କ ଦରମା ବନ୍ଦ ହୋଇଥିବା ଓ ଧମକ ମିଳୁଥିବା ଅଭିଯୋଗ ମଧ୍ୟ ଉଠିଛି। ପୂର୍ବରୁ ମଧ୍ୟ ବୋଲଗଡ଼ ଅଙ୍ଗନୱାଡ଼ି ସଂଘ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଦାଖଲ କରାଯାଇଥିଲା।

କିନ୍ତୁ ପଦକ୍ଷେପ ନ ହେବାରୁ ଆଜି ସେମାନେ ନଳିଘୋଷ ଭବନରୁ ରାଲି କାଢ଼ି ବଜାର ହୋଇ ବୋଲଗଡ଼ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗଲେ। ସେଠାରେ ସି.ଡି.ପି.ଓଙ୍କ ମାଧ୍ୟମରେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଡି.ଏସ.ଡବ୍ଲ୍ୟୁ.ଓଙ୍କୁ ଦାବୀପତ୍ର ପ୍ରଦାନ କରାଗଲା। ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରସ୍ ଆସୋସିଏସନ ବୋଲଗଡ଼ ଶାଖା ଓ ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ଶ୍ରମିକମାନେ ଏହି ଆନ୍ଦୋଳନରେ ଯୋଗଦେଇଥିଲେ। ପ୍ରାୟ ୪୦୦ରୁ ଅଧିକ କର୍ମୀ ଓ ସହାୟିକା ରାଲି ଓ ଧାରଣାରେ ଅଂଶ ନେଇଥିଲେ।ସଂଘର ଉପଦେଷ୍ଟା ଗଙ୍ଗାଧର ଦାଶ, ଭାରତୀୟ ମଜଦୁର ସଂଘର ଖୋର୍ଦ୍ଧା ଜିଲ୍ଲା ସଭାପତି ଅକ୍ଷୟ କୁମାର ରାଉତ, ବ୍ଲକ ସଭାନେତ୍ରୀ ମେରିଆ ବେଗମ, ସଂପାଦିକା ସୁଲେଚନା ପରିଡ଼ା, ନମିତା ପ୍ରଧାନ, ପ୍ରତିମା ଦେଇ, କମଳିନୀ ମହାନ୍ତି, ଜାହ୍ନବୀ ସାହୁ, ରେଣୁବାଳା ଦେଇ, ପ୍ରବାସିନୀ ମହାରଣା, ଶାନ୍ତିଲତା ଦେଇ, ପ୍ରବୀଣା ରଣସିଂ, ମିଲି ମଙ୍ଗରାଜ ଓ ଅନୁପମା ସାହୁ ଆଦି ନେତୃତ୍ୱ ଦେଇଥିଲେ। ଆନ୍ଦୋଳନକାରୀମାନେ ସତର୍କ କରିଛନ୍ତି ଯେ ଯଦି ଆସନ୍ତା ସାତ ଦିନ ମଧ୍ୟରେ ଦାବୀ ପୂରଣ ହେବ ନାହିଁ, ତେବେ ସେମାନେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ରଖି ବ୍ଲକ ସମ୍ମୁଖରେ ଆନ୍ଦୋଳନ ଜାରି ରଖିବେ।

Post a Comment

0 Comments

Please Select Embedded Mode To show the Comment System.*

3/related/default