ସିନ୍ଧେକେଲା,୨୮/୧୦ (ଦିନେଶ ଜୈନ) - ନ୍ୟାସନାଲ ଗ୍ୟାଲେରୀ ଅଫ ମଡର୍ଣ୍ଣଆର୍ଟର ପୂର୍ବତନ ଡାଇରେକ୍ଟର ଜେନେରାଲ ପଦ୍ମଶ୍ରୀ ଅଦ୍ୱେତଚରଣ ଗଡନାୟକ ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ଐତିହ୍ୟପୀଠ ୬୪ ଯୋଗିନୀ ରାଣୀପୁର-ଝରିଆଳକୁ ସପତ୍ନୀକ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ୬୪ ଯୋଗିନୀ,ଇନ୍ଦ୍ରଲାଠ,ସୋମେଶ୍ୱର ମନ୍ଦିର ଓ ରାଣିପୁରର ରାଣିମହଲ,ପିଲପରୁଆ, ନବଗ୍ରହ ମୂର୍ତ୍ତି, ସପ୍ତଋଷି, ମାଗୁରମାଛ ସହ ଚାମୁଣ୍ଡା ମୂର୍ତ୍ତି ଦର୍ଶନ କରି ଅଭିଭୁତ ହୋଇଯାଇଛନ୍ତି । ନବମ ଶତାବ୍ଦୀର ଏହି ସ୍ଥାପତ୍ୟ କଳା ଏତେ ଉଚ୍ଚକୋଟିର ଥିଲା ଓ ଶିଲ୍ପୀମାନଙ୍କ ସ୍ଥାନ ଚୟନକୁ ସେ ଉଚ୍ଚପ୍ରସଂସା କରିଛନ୍ତି । ଏକ ବିଶାଳ ପଥର ଚଟାଣ ଉପରେ ନିର୍ମିତ ୬୪ ଯୋଗିନୀପୀଠ ଏକ ଜାତୀୟ ଐତହ୍ୟ ଭାବରେ ପରିଗଣିତ ହୋଇଥାଏ । ତେବେ ଏଭଳି ଏକ ଆନ୍ତର୍ଯ୍ୟାତିୟସ୍ତରର ଐତିହ୍ୟ ପୀଠର ସଂରକ୍ଷଣ କରିବାରେ ସରକାରମାନେ ବିଫଳ ହୋଇଥିବା ତଥା ଜାତୀୟ ପ୍ରତ୍ନତତ୍ୱ ବିଭାଗ(ଏଏସଆଇ) ସଠିକ ଢଙ୍ଗରେ କାମ କରି ନଥିବା କହି କ୍ଷୋଭ ପ୍ରକାଶ କରିଛନ୍ତି । ନବମ ଶତାବ୍ଦୀରେ ନିର୍ମତ ଏହି ପୀଠର ପାରିପାଶ୍ୱିର୍କ ସ୍ଥିତିକୁ ଦେଖି ସେ ଭାବବିହ୍ୱଳ ହୋଇପଡିଥିଲେ । ଏହି ପରିଦର୍ଶନ ପରେ ସେ ବଲାଙ୍ଗୀର ଫେରି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ,ଏହି ପୀଠର ସଂରକ୍ଷଣ ପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି । ସ୍ଥାନୀୟ ଜନସାଧାରଣ,ବୁଦ୍ଧିଜୀବି ଓ ସରକାରଙ୍କ ମିଳିତ ଉଦ୍ୟମ ହେଲେ ଏଭଳି ଐତିହ୍ୟ ପୀଠର ସର୍ବାଙ୍ଗୀନ ବିକାଶ ହୋଇପାରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ । ଏକ ଦୀର୍ଘଦିନର ଅବହେଳିତ ଅଞ୍ଚଳରେ ପୂର୍ବକାଳରେ ଯେ,ଏକ ସମୃଦ୍ଧ ଐତିହ୍ୟସ୍ଥଳୀ ରହିଥିଲା ଓ ଏହା ଏ ଅଞ୍ଚଳର ଉନ୍ନତ ସଭ୍ୟତାକୁ ସୂଚାଏ । ଦୀର୍ଘବର୍ଷର ଅବହେଳା ଯୋଗୁଁ ୬୪ ଯୋଗିନୀପୀଠର ମୂର୍ତ୍ତି ଗୁଡିକର ଅବସ୍ଥା ଖରାପ ହୋଇଗଲାଣି । ଜାତୀୟ ପ୍ରତ୍ନତତ୍ୱ ବିଭାଗ କେବଳ ମୂର୍ତ୍ତି ଗୁଡିକୁ ଲୁହା ଜାଲି ଲଗାଇ ସଂରକ୍ଷଣ କରିଛି । ୬୪ ଯୋଗିନୀ ହେଉଛି ବିଶ୍ୱର ଏକ ବିରଳ ମୂର୍ତ୍ତିକଳା ଓ ସ୍ଥପତିର ପଦଚିହ୍ନ । ଏକ ବିରାଟ ପଥର ପାହାଡରେ ଏହାକୁ ନିର୍ମାଣ କରାଯାଇଛି । ଏହାକୁ ନିର୍ମାଣ କରିଥିବା ଶିଲ୍ପୀମାନେ ଯେଉଁ ଭାବ ଦେଇ ଏହାକୁ ଗଢିଥିଲେ ତାରଜାଲି ଲଗାଇ ତାକୁ ବିପଥଗାମୀ କରିଦିଆଯାଇଛି । ଇନ୍ଦ୍ରଲାଠ ମନ୍ଦିରରେ ଯେଉଁ କାରୁକାର୍ଯ୍ୟ ହୋଇଥିଲା ଏଏସଆଇ ତାକୁ ସଂରକ୍ଷଣ କରିବାରେ ବିଫଳ ହୋଇଛି । ଲଗାଯାଇଥିବା ପ୍ରଲେପକୁ ଠିକ ଢଙ୍ଗରେ ଲଗାଯାଇନାହିଁ । ଆଜି ଟେକ୍ନୋଲୋଜି ବହୁତ ଆଗକୁ ଗଲାଣି । ଆଇଆଇଟିମାନଙ୍କରେ ଏନେଇ ଯଥେଷ୍ଟ ଗବେଷଣା ହେଉଛି ,ଏଭଳି ମୂର୍ତ୍ତିଗୁଡିକ ଅବିକଳ ନିର୍ମାଣ କରାଯାଇ ପାରିଥାନ୍ତା । କିନ୍ତୁ ଏଏସଆଇ ଏହି କାମକୁ ବିଶେଷଜ୍ଞମାନଙ୍କ ଦ୍ୱାରା ନକରାଇ କେବଳ ଶ୍ରମିକମାନଙ୍କ ଦ୍ୱାରା କରାଇଛି ବୋଲି କ୍ଷୋଭପ୍ରକାଶ କରିଛନ୍ତି । ଏପରିକି ଏଏସଆଇର ଏଭଳି କାମକୁ ସେ ଆଇଏସଆଇର କାମ ଭଳି କରାଯାଉଛି ବୋଲି ଅଭିଯୋଗ ଉଠାଇଛନ୍ତି । ଇନ୍ଦ୍ରଲାଠମନ୍ଦିରରେ ଭାଙ୍ଗିଥିବା ସ୍ଥାନରେ ସାଧାରଣ ଇଟା ଲଗାଯାଇ ମରାମତି କରାଯାଇଛି

