ବିଶ୍ବର ବିଭିନ୍ନ ସ୍ଥାନରେ ଅଦିନିଆ ରଥଯାତ୍ରା ରୋକିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ

ଆଜତକ ଓଡ଼ିଶା
0

ଭୁବନେଶ୍ୱର,ପୁରୀ (ସମୀର ରଞ୍ଜନ ନାୟକ) ବିଶ୍ବର ବିଭିନ୍ନ ସ୍ଥାନରେ ଅଦିନିଆ ରଥଯାତ୍ରା ରୋକିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଆସନ୍ତା ଡିସେମ୍ବର ସୁଦ୍ଧା ଇସ୍କନ ପକ୍ଷରୁ ବିଶ୍ବର ବିଭିନ୍ନ ସ୍ଥାନରେ ୮୦ଟି ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବା ପରିପ୍ରେକ୍ଷୀରେ ଗଜପତି ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ବିହିତ ପଦକ୍ଷେପ ପାଇଁ ଅବଗତ କରାଇଛନ୍ତି।ତେବେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ସମେତ ଅନ୍ୟ ପ୍ରାୟ ୨୫ଟି ନୀତିକୁ ପାଳନ କରିବା ବିଧେୟ ବୋଲି ନିଷ୍ପତ୍ତି ହୋଇଛି । ଯେହେତୁ ଶ୍ରୀମନ୍ଦିରରେ ପାଳିତ ସମସ୍ତ ନୀତି ସମସ୍ତ ଜଗନ୍ନାଥ ମନ୍ଦିରରେ ପାଳନ କରିବା ସମ୍ଭବ ନୁହେଁ ବୋଲି ବିଚାର କରାଯାଇଛି । ତେବେ ରାଜ୍ୟ, ଦେଶ, ତଥା ଦେଶ ବାହାରେ ମୂଳପୀଠ ଆଧାରରେ ଗୋଟିଏ ତିଥିରେ ନୀତି ପାଳନ ନେଇ ଆଚାର୍ଯ୍ୟମାନେ ମତ ରଖିଛନ୍ତି ।୧୯ ଅକ୍ଟୋବର ୨୦୨୫ରେ ଇସ୍କନ ମୁଖ୍ୟାଳୟ ଚିଠି ଅନୁସାରେ, ଭାରତ ଭିତରେ ଇସ୍କନ ଗୋଟିଏ ତିଥିରେ ହିଁ ପାଳନ କରି ଆସୁଛି ରଥଯାତ୍ରା । କିନ୍ତୁ ଭାରତ ବାହାରେ ବିଭିନ୍ନ ସମୟରେ ପାଳନ କରିପାରିବେ । କିନ୍ତୁ ଶାସ୍ତ୍ରୀୟ ମତ କହୁଛି ମହାପ୍ରଭୁ କେବଳ ଦୁଇଟି ତିଥିରେ ହିଁ ବାହାରକୁ ଆସିପାରିବେ । ଗୋଟିଏ ଜ୍ୟେଷ୍ଠ ପୂର୍ଣ୍ଣିମା ସ୍ନାନ ପୂର୍ଣ୍ଣିମା ତିଥିରେ । ଅନ୍ୟଟି ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ।ତେବେ ପୁରୀରେ ଅନୁଷ୍ଠିତ ଐକ୍ୟ ସ୍ଥାପନ ମଣ୍ଡଳୀ ବୈଠକ ପରେ ଗଜପତି ମହାରାଜା କହିଛନ୍ତି, ''ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସଂସ୍କୃତି ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ ଆଲୋଚନା କରାଯିବ । ଇସ୍କନ୍ ମାୟାପୁର୍ କର୍ତ୍ତୃପକ୍ଷଙ୍କୁ ପୁର୍ନବାର ଚିଠି ଲେଖାଯିବ । ସବୁ ପ୍ରକାର ପଦକ୍ଷେପ ନେବା ସତ୍ତ୍ୱେ ଇସ୍କନ କର୍ତ୍ତୃପକ୍ଷ ଅଦିନିଆ ରଥଯାତ୍ରା କଲେ ଆଇନର ଆଶ୍ରୟ ନିଆଯିବ''।ସେହିପରି ଆସନ୍ତା ପଣା ସଂକ୍ରାନ୍ତିରୁ ଶ୍ରୀମନ୍ଦିର କ୍ୟାଲେଣ୍ଡର ପ୍ରଚଳିତ ହେବାକୁ ଯାଉଛି । କ୍ୟାଲେଣ୍ଡରରେ ଉଲ୍ଲେଖ ହୋଇଥିବା ତାରକା ଚିହ୍ନ ଅନୁସାରେ ଭାରତରେ ଥିବା ସବୁ ଜଗନ୍ନାଥ ମନ୍ଦିର ଏହା ପାଳନ କରିବା ବାଧ୍ୟତାମୂଳକ । ଭାରତ ଭିତରେ ସବୁ ଜଗନ୍ନାଥ ମନ୍ଦିର ମୂଳ ପୀଠ ବା ଶ୍ରୀମନ୍ଦିର କ୍ୟାଲେଣ୍ଡର ଅନୁସାରେ ପର୍ବପର୍ବାଣି ଓ ନୀତିକାନ୍ତି ପାଳନ କରିବାକୁ ଗଜପତି ପରାମର୍ଶ ଦେଇଛନ୍ତି ।

Post a Comment

0 Comments

Please Select Embedded Mode To show the Comment System.*

3/related/default