ସିନାପାଲି, ୮/୩ : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚଟିଆଗୁଡ଼ା ଗ୍ରାମ ପଞ୍ଚାୟତରେ ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ପ୍ରଦୂଷଣ ରୋକିବାକୁ ନେଇ ବର୍ତ୍ତନ ବ୍ୟାଙ୍କ ଉଦଘାଟନ ସହ ଏକକ ବ୍ୟବହୃତ ପ୍ଲାଷ୍ଟିକ ନିଷେଧ ସଚେତନତା ଅଭିଯାନ ଆୟୋଜିତ ହୋଇଥିଲା। ଗ୍ରାମ ପଞ୍ଚାୟତ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓ ବ୍ଲକ ସ୍ତରର ଅଧିକାରୀମାନେ ଯୋଗଦେଇ ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନ ପାଇଁ ଗ୍ରାମବାସୀଙ୍କୁ ସଚେତନ କରିଥିଲେ।
ଏହି ଅବସରରେ ଜିଲ୍ଲା ସ୍ତରୀୟ SUP ଟିମର ଶ୍ରୀ ପ୍ରହଲ୍ଲାଦ ସାହୁ (SE, RWS & S), ଡିଡି ପ୍ଲାନିଂ ଓ SWO ନୂଆପଡା ସହ ଶ୍ରୀ ସତ୍ୟନାରାୟଣ ତ୍ରିପାଠୀ (DPM, NHM) ଉପସ୍ଥିତ ଥିଲେ। ବ୍ଲକ ସ୍ତରୀୟ SUP ଟିମରେ ଶ୍ରୀ ପୁଣ୍ଡରୀକାକ୍ଷ ହୋତା (BRC), ଶ୍ରୀ ସୁନୀଲ କୁମାର ସାମଲ (WEO) ଓ ଶ୍ରୀ ହରେକୃଷ୍ଣ ନାଏକ (BSSO) ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
କାର୍ଯ୍ୟକ୍ରମରେ ବର୍ତ୍ତନ ବ୍ୟାଙ୍କର ଶୁଭ ଉଦଘାଟନ କରାଯାଇ ଗ୍ରାମବାସୀଙ୍କୁ ବିବାହ, ପୂଜା, ଉତ୍ସବ ଓ ଅନ୍ୟାନ୍ୟ ସାମୁହିକ କାର୍ଯ୍ୟକ୍ରମରେ ପ୍ଲାଷ୍ଟିକ ପ୍ଲେଟ, ଗ୍ଲାସ ଓ ଏକକ ବ୍ୟବହୃତ ପଦାର୍ଥ ବ୍ୟବହାର ନକରି ବର୍ତ୍ତନ ବ୍ୟାଙ୍କର ବାସନ ବ୍ୟବହାର କରିବାକୁ ଆହ୍ୱାନ ଦିଆଯାଇଥିଲା। ଏହା ଫଳରେ ପ୍ଲାଷ୍ଟିକ ଆବର୍ଜନା କମିବା ସହ ପରିବେଶ ପ୍ରଦୂଷଣ ହ୍ରାସ ପାଇବ ବୋଲି ବକ୍ତାମାନେ କହିଥିଲେ।
ଏହାସହ ଏକକ ବ୍ୟବହୃତ ପ୍ଲାଷ୍ଟିକର କୁପ୍ରଭାବ ବିଷୟରେ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା। ଏହି ଅବସରରେ ଚଟିଆଗୁଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ସ୍ବଚ୍ଛତା ବଜାୟ ରଖିବା ପାଇଁ ଡଷ୍ଟବିନ, ଫିନାଇଲ ଓ ହ୍ୟାଣ୍ଡୱାଶ ବଣ୍ଟନ କରାଯାଇଥିଲା। ସେହିପରି ଅଞ୍ଚଳର ସମସ୍ତ ଦୋକାନକୁ ମଧ୍ୟ ଡଷ୍ଟବିନ ବଣ୍ଟନ କରାଯାଇ ପରିବେଶ ସ୍ବଚ୍ଛ ରଖିବାକୁ ଆହ୍ୱାନ କରାଯାଇଥିଲା।
କାର୍ଯ୍ୟକ୍ରମରେ ମିଶନ ଶକ୍ତି ଗୋଷ୍ଠୀ ସଦସ୍ୟା, ଅଙ୍ଗନୱାଡ଼ି କର୍ମୀ, ସ୍ବଚ୍ଛ ସାଥୀ, ଯୁବକ ଓ ଗ୍ରାମବାସୀମାନେ ବ୍ୟାପକ ଭାବରେ ଯୋଗଦେଇ ପ୍ଲାଷ୍ଟିକ ମୁକ୍ତ ଗ୍ରାମ ଗଠନ ପାଇଁ ସଙ୍କଳ୍ପ ନେଇଥିଲେ।

