ଚଟୁଅନକା ପଞ୍ଚାୟତରେ ସୂଚନା ଫଳକ ବିନା ପୋଲ ଭଙ୍ଗା, ପଞ୍ଚାୟତ ପ୍ରତିନିଧିଙ୍କୁ ମଧ୍ୟ ଜଣା ନଥିବା ଅଭିଯୋଗ
କଣ୍ଟାବାଞ୍ଜି, (ବ୍ୟୁରୋ): ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍ ଅନ୍ତର୍ଗତ ଚଟୁଅନକା ପଞ୍ଚାୟତରେ ମଙ୍ଗଳବାର ସରକାରୀ ନିୟମ ଉଲଂଘନ କରି କାମ ହେଉଥିବା ଅଭିଯୋଗକୁ ନେଇ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣାରେ ତୁରେକେଲା ବ୍ଲକ୍ ଆସିଷ୍ଟାଣ୍ଟ ଇଞ୍ଜିନିୟର, କନିଷ୍ଠ ଯନ୍ତ୍ରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ରାସ୍ତା ମଝିରେ ହଟହଟା ହେବାକୁ ପଡ଼ିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଚଟୁଅନକା ଗାଁରୁ କଣ୍ଟାବାଞ୍ଜି ହାଇସ୍କୁଲ ପର୍ଯ୍ୟନ୍ତ ଯାଉଥିବା ରାସ୍ତା ଦୀର୍ଘ ବର୍ଷ ଧରି ଶୋଚନୀୟ ଅବସ୍ଥାରେ ରହିଛି। ଏହି ରାସ୍ତାରେ ଥିବା ପୁରୁଣା ପୋଲ ମରାମତି ପାଇଁ ତୁରେକେଲା ବ୍ଲକ୍ ପ୍ରଶାସନ ପକ୍ଷରୁ ପ୍ରାୟ ୪ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର କରାଯାଇ ନୂତନ ପୋଲ ନିର୍ମାଣ କାମ ଆରମ୍ଭ କରାଯାଇଛି। କିନ୍ତୁ ଠିକାଦାର ସୂଚନା ଫଳକରେ ତଥ୍ୟ ଲେଖିବା ବିନା ଓ ଲୋକମାନଙ୍କ ଯାତାୟାତ ପାଇଁ ବାଇପାସ୍ ରାସ୍ତା ନିର୍ମାଣ ନ କରି ପୋଲ ଭଙ୍ଗିବା କାମ ଆରମ୍ଭ କରିଥିବା ଅଭିଯୋଗ ହୋଇଛି।
ଏନେଇ ବିଜେଡ଼ି ନେତା ଗିରିରାଜ ସିଂ ମାଝୀ ଉଦ୍ବେଗ ପ୍ରକାଶ କରି କହିଛନ୍ତି ଯେ ସରକାରୀ ନିୟମ ଅନୁସାରେ ଯେକୌଣସି ନିର୍ମାଣ କାର୍ଯ୍ୟ ପୂର୍ବରୁ ସୂଚନା ଫଳକରେ ସମସ୍ତ ତଥ୍ୟ ରହିବା ଆବଶ୍ୟକ। ତେବେ ଏଠାରେ ସୂଚନା ଫଳକ ନ ଲଗାଇ କିଭଳି କାମ ଆରମ୍ଭ ହେଲା ଓ ବାଇପାସ୍ ରାସ୍ତା କାହିଁକି ତିଆରି କରାଯାଇନି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।
ଅନ୍ୟପକ୍ଷରେ, ପଞ୍ଚାୟତରେ ସରକାରୀ କାମ କରାଯାଇଲେ ପଞ୍ଚାୟତ ପ୍ରତିନିଧିଙ୍କୁ ଅବଗତ କରାଯିବା ନିୟମ ରହିଛି। କିନ୍ତୁ ଚଟୁଅନକା ପଞ୍ଚାୟତରେ ଏହି କାମ ଆରମ୍ଭ ହେବା ସତ୍ତ୍ୱେ ସରପଞ୍ଚ ଜ୍ଞାନ ରଞ୍ଜନ ତାଣ୍ଡି ଓ ସମିତି ସଭ୍ୟ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କୁ ଏନେଇ ଅବଗତ କରାଯାଇନଥିବା ଜଣାପଡ଼ିଛି। ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

