![]() |
| (AI ଦ୍ୱାରା ପ୍ରସ୍ତୁତ ପ୍ରତୀକାତ୍ମକ ଛବି) |
ବାଗାଲକୋଟ, ୧୬ ଫେବୃଆରୀ (ଆଜତକ୍ ଓଡ଼ିଶା)
କର୍ଣ୍ଣାଟକର ବାଗାଲକୋଟ ଜିଲ୍ଲାର ଏକ ଇଟା ଭାଟିରୁ ଓଡ଼ିଶାରୁ ଯାଇଥିବା ୬ ଜଣ ଶିଶୁ ସହିତ ମୋଟ ୩୪ ଜଣ ବନ୍ଧୁଆ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ବାଗାଲକୋଟ ଜିଲ୍ଲା ପ୍ରଶାସନ, ଶ୍ରମ ବିଭାଗ ଓ ପୋଲିସ ଅଧିକାରୀମାନେ ‘ସ୍ପନ୍ଦନା ଏସୋସିଏସନ’ ନାମକ ଏକ ଏନଜିଓ ସହ ମିଶି ୧୦ ଫେବୃଆରୀ ୨୦୨୬ ରେ ଏହି ଉଦ୍ଧାର କାର୍ଯ୍ୟ କରିଥିଲେ।
ସୂଚନା ଅନୁସାରେ, ଏହି ଶ୍ରମିକମାନେ ନଭେମ୍ବର ୨୦୨୫ ଠାରୁ ଉକ୍ତ ଇଟା ଭାଟିରେ ବନ୍ଦୀ ଅବସ୍ଥାରେ ରହିଥିଲେ। ଶ୍ରମିକମାନଙ୍କ ସହିତ ଶିଶୁମାନଙ୍କୁ ମଧ୍ୟ ଅତ୍ୟଳ୍ପ ବିରତି ସହ ଦିନକୁ ୧୬ ଘଣ୍ଟାରୁ ଅଧିକ କାମ କରାଯାଉଥିଲା। ସେମାନଙ୍କୁ ସ୍ୱାଧୀନତାରୁ ବଞ୍ଚିତ କରାଯାଇଥିଲା ଏବଂ ପରିବାର ସହିତ ଇଟା ଭାଟିରୁ ବାହାରିବାକୁ ମନା କରାଯାଉଥିଲା।
ଅଭିଯୋଗ ଅନୁସାରେ ଶ୍ରମିକମାନଙ୍କୁ ପ୍ରତିଶ୍ରୁତ ମଜୁରି ମଧ୍ୟ ଦିଆଯାଇନଥିଲା। ଏହି ଘଟଣାକୁ ନେଇ ୧୧ ଫେବୃଆରୀରେ ବନ୍ଧୁଆ ଶ୍ରମ ପ୍ରଣାଳୀ (ଉଚ୍ଛେଦ) ଆଇନ, ୧୯୭୬ ର ଧାରା ୧୬, ୧୭, ୧୮ ଏବଂ ଶିଶୁ ଶ୍ରମ ଆଇନ ଅନୁସାରେ ଏକ ଏଫଆଇଆର ରଜିଷ୍ଟର କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଶ୍ରମିକଙ୍କୁ ମୁକ୍ତି ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଛି।
ଉଦ୍ଧାର ସମୟରେ ଇଟା ଭାଟି ମାଲିକ ଶ୍ରମିକମାନଙ୍କର ଆଧାର କାର୍ଡ ସହିତ ପଳାଇଯାଇଥିବା ଜଣାପଡ଼ିଛି। ଉଦ୍ଧାର ଶ୍ରମିକମାନେ ଓଡ଼ିଶାର ଏକ ଦଳାଳଙ୍କ ଠାରୁ ପ୍ରତି ପରିବାର ₹୨୦ ହଜାରରୁ ₹୩୦ ହଜାର ପର୍ଯ୍ୟନ୍ତ ଅଗ୍ରିମ ନେଇଥିବା ନଅଟି ପରିବାରରୁ ଆସିଥିବା ଜଣାପଡ଼ିଛି। ପ୍ରଥମେ ସେମାନଙ୍କୁ ବିଜୟବାଡାରେ କାମ ମିଳିବ ବୋଲି କୁହାଯାଇଥିଲା, କିନ୍ତୁ ପରେ ସେମାନଙ୍କୁ ବସ ଓ ଟ୍ରେନ୍ ଯୋଗେ ବାଗାଲକୋଟକୁ ଆଣାଯାଇଥିଲା।
ଭଟ୍ଟିରେ ପ୍ରତି ପରିବାରକୁ ପ୍ରତି ସପ୍ତାହ ମାତ୍ର ₹୮୦୦ ମଜୁରି ଭାବେ ଦିଆଯାଉଥିଲା। ଏହି ରାଶିରେ ସେମାନେ କେବଳ ସପ୍ତାହର ଖାଦ୍ୟ ସାମଗ୍ରୀ କିଣିପାରୁଥିଲେ। ଖାଦ୍ୟ କିଣିବା ପାଇଁ ପ୍ରତି ପରିବାରରୁ କେବଳ ଜଣେ ସଦସ୍ୟଙ୍କୁ ବଜାରକୁ ଯିବାକୁ ଅନୁମତି ମିଳୁଥିଲା।
ଅଭିଯୋଗ ଅନୁସାରେ ଇଟା ଭାଟି ମାଲିକ ଓ ତାଙ୍କ ଦୁଇ ପୁଅ ଶ୍ରମିକମାନଙ୍କୁ ଶାରୀରିକ ଓ ମୌଖିକ ଭାବେ ନିର୍ଯାତନା ଦେଇଥିଲେ। ଶିଶୁମାନଙ୍କୁ ମଧ୍ୟ ଭାରୀ କାମ କରାଯାଉଥିଲା ଏବଂ ମନା କଲେ ପିଟାଯାଉଥିଲା। ଅସୁସ୍ଥ ହେଲେ କିମ୍ବା ପଡ଼ିଯାଇଲେ ମଧ୍ୟ ସେମାନଙ୍କୁ ହସ୍ପିଟାଲକୁ ନେବାକୁ ଦିଆଯାଉନଥିଲା।
ଶ୍ରମିକମାନେ ପାଣି ଓ ପରିଷ୍କାରତା ବିହୀନ ଇଟ୍ର ଛୋଟ ଝୁପୁଡିରେ ଅସୁରକ୍ଷିତ ପରିସ୍ଥିତିରେ ରହୁଥିଲେ। ଶୌଚକାର୍ଯ୍ୟ ପାଇଁ ବାହାରକୁ ଯିବାବେଳେ ସେମାନଙ୍କୁ ସବୁବେଳେ ମାଲିକ ନିରୀକ୍ଷଣ କରୁଥିବାରୁ ବିଶେଷକରି ମହିଳାମାନଙ୍କ ପାଇଁ ଅପମାନଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଉଦ୍ଧାର ହୋଇଥିବା ଶ୍ରମିକମାନେ ବର୍ତ୍ତମାନ ଏକ ସରକାରୀ ହୋଷ୍ଟେଲରେ ରହୁଛନ୍ତି ଏବଂ ପ୍ରକ୍ରିୟାଗତ ଔପଚାରିକତା ପରେ ସେମାନଙ୍କୁ ନିଜ ଗାଁକୁ ପଠାଯିବ ବୋଲି ପ୍ରଶାସନ ସୂଚନା ଦେଇଛି।
ଉଲ୍ଲେଖନୀୟ ଯେ, ଡିସେମ୍ବର ୨୦୨୫ ଠାରୁ ଏପର୍ଯ୍ୟନ୍ତ ବାଗାଲକୋଟ ଜିଲ୍ଲାର ଇଟା ଭାଟି ଏବଂ ଗୋଟିଏ ଅଖୁ ଖେତରୁ ମୋଟ ୯୯ ଜଣ ବନ୍ଧୁଆ ଶ୍ରମିକ ଉଦ୍ଧାର କରାଯାଇଛନ୍ତି। ଏହା ଚିନ୍ତାଜନକ ଯେ, ୯ ଫେବୃଆରୀ ୨୦୨୬ ରେ ବନ୍ଧୁଆ ଶ୍ରମ ପ୍ରଣାଳୀ (ଉଚ୍ଛେଦ) ଆଇନ, ୧୯୭୬ ଆରମ୍ଭ ହୋଇଥିବା ୫୦ ବର୍ଷ ପୂରଣ କରିଥିଲା।


