ଡୁମେରବାହାଲରେ ପ୍ଲାଷ୍ଟିକ ମୁକ୍ତ ସଚେତନ ଅଭିଯାନ

ଆଜତକ ଓଡ଼ିଶା
0

ସିନାପାଲି : ପ୍ରକୃତିର କୋଳେ ମନୋରଞ୍ଜନ, କିନ୍ତୁ ପ୍ଲାଷ୍ଟିକରୁ ଦୂରେ, ଏହି ଶକ୍ତିଶାଳୀ ସନ୍ଦେଶ ସହ ଗୋର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡୁମେରବାହାଲ ବଣଭୋଜି ସ୍ଥଳରେ ଏକ ଆକର୍ଷଣୀୟ ଓ ପ୍ରେରଣାଦାୟକ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଛି । ସବୁଜ ଜଙ୍ଗଲ, ଶୁଭ୍ର ପରିବେଶ ଓ ସଚେତନ ମନର ମିଶ୍ରଣ ଏହି କାର୍ଯ୍ୟକ୍ରମକୁ ଏକ ସ୍ମରଣୀୟ ଆନ୍ଦୋଳନର ରୂପ ଦେଇଥିଲା । ସିନାପାଲି ବନାଞ୍ଚଳ ଓ ଖଡ଼ିଆଳ ବନଖଣ୍ଡର ସୌଜନ୍ୟରେ, ସିନାପାଲି ରେଞ୍ଜ ଅଫିସର ଶ୍ରୀ କାମେଶ୍ୱର ତାଣ୍ଡିଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଗୋର୍ଲା ସରପଞ୍ଚ ଶ୍ରୀମତୀ ଦମୟନ୍ତୀ ଦଣ୍ଡସେନା, ଘାଟମାଲ ଫରେଷ୍ଟର ଶ୍ରୀ ରାମା ରଞ୍ଜନ ରାଉତ, ଲିଆଡ଼ ଫୋରେଷ୍ଟର ଶ୍ରୀ ମେଘନାଥ ମାଝୀ, ସିନାପାଲି ଫରେଷ୍ଟର ଶ୍ରୀ ଚୁଡ଼ାନାଥ ସରାଫ, ନଙ୍ଗଲବୋଡ଼ ଫରେଷ୍ଟର ଶ୍ରୀ କନ୍ଦର୍ପ ସୁନାନୀ ସହ ସିନାପାଲି ରେଞ୍ଜର ଅନ୍ୟାନ୍ୟ ବନ କର୍ମଚାରୀ ଓ ଡୁମେରବାହାଲର ସଚେତନ ଗ୍ରାମବାସୀମାନେ ଉତ୍ସାହର ସହ ଯୋଗଦାନ କରିଥିଲେ ।

କାର୍ଯ୍ୟକ୍ରମ ସମୟରେ ବକ୍ତାମାନେ କହିଥିଲେ ଯେ ପ୍ଲାଷ୍ଟିକ କେବଳ ପରିବେଶକୁ ନୁହେଁ, ଆମ ଭବିଷ୍ୟତକୁ ମଧ୍ୟ ଆକ୍ରାନ୍ତ କରୁଛି । ଜଙ୍ଗଲ ଓ ବନ୍ୟପ୍ରାଣୀ ପାଇଁ ପ୍ଲାଷ୍ଟିକ ଏକ ନିରବ ଶତ୍ରୁ ବୋଲି ସେମାନେ ଉଲ୍ଲେଖ କରି, ବଣଭୋଜି ସମୟରେ ପ୍ଲାଷ୍ଟିକ ଥାଲି, ଗ୍ଲାସ ଓ ପଲିଥିନ ବ୍ୟବହାର ବନ୍ଦ କରିବାକୁ ଆହ୍ୱାନ ଦେଇଥିଲେ । “I picnic with nature, not with plastic” ସ୍ଲୋଗାନକୁ କେବଳ ନାରା ନୁହେଁ, ଜୀବନ ଶୈଳୀ କରିବା ପାଇଁ ସମସ୍ତଙ୍କୁ ପ୍ରତିଜ୍ଞା କରାଯାଇଥିଲା । ପରିବେଶ ସୁରକ୍ଷା ଦିନକିଆ କାର୍ଯ୍ୟକ୍ରମ ନୁହେଁ, ଏହା ଏକ ଦୀର୍ଘକାଳୀନ ଦାୟିତ୍ ଏହି ସନ୍ଦେଶ ଡୁମେରବାହାଲରୁ ସମଗ୍ର ସିନାପାଲି ବ୍ଲକ ଅଞ୍ଚଳକୁ ପହଞ୍ଚିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ବନବିଭାଗ । ଏପରି ପ୍ରେରଣାଦାୟକ ପଦକ୍ଷେପ ଗ୍ରାମୀଣ ଅଞ୍ଚଳରେ ପରିବେଶ ସଚେତନତାକୁ ଏକ ଆନ୍ଦୋଳନର ରୂପ ଦେଇ, ଆଗାମୀ ପିଢ଼ି ପାଇଁ ସବୁଜ, ସ୍ୱଚ୍ଛ ଓ ସୁନ୍ଦର ପୃଥିବୀ ଗଢ଼ିବାରେ ମୂଳ ଆଧାର ହେବ ବୋଲି ସମସ୍ତେ ଆଶା ବ୍ୟକ୍ତ କରିଛନ୍ତି ।ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ

Post a Comment

0 Comments

Please Select Embedded Mode To show the Comment System.*

3/related/default