ନୁଆପଡ଼ା : ସରକାର ସ୍ୱାସ୍ଥ୍ୟ ସେବା ଏବଂ ଭିତ୍ତିଭୂମିର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ନୁଆପଡା ଜିଲ୍ଲା ଅନ୍ତର୍ଗତ କୋମନା ଠାରେ ଥିବା ଶବ ବ୍ୟବଚ୍ଛେଦ ଗୃହ ଏବେ ଅବହେଳାର ଚରମ ସୀମାରେ ପହଞ୍ଚିଛି। ମୃତ୍ୟୁ ପରେ ମଧ୍ୟ ଶବକୁ ସମ୍ମାନ ମିଳିବା ପରିବର୍ତ୍ତେ ଏଠାରେ ଅତ୍ୟନ୍ତ ଅଭାବନୀୟ ପରିବେଶ ମଧ୍ୟରେ ବ୍ୟବଚ୍ଛେଦ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଛି। ଶବ ବ୍ୟବଚ୍ଛେଦ ଗୃହର ମୁଖ୍ୟ ଦ୍ୱାର ସମ୍ମୁଖରେ ପ୍ଲାଷ୍ଟିକ୍ ବୋତଲ ଓ ଅଳିଆ ଆବର୍ଜନା ଜମା ହୋଇ ରହିଛି। ଗୃହର କାନ୍ଥଗୁଡ଼ିକ ଶିଉଳି ଧରି ବିକୃତ ହୋଇଗଲାଣି। ଚାରିପାଖରେ ଅନାବନା ଘାସ ଓ ବୁଦା ମାଡ଼ିଯାଇ ଏକ ପ୍ରକାର ଭୟଙ୍କର ପରିବେଶ ସୃଷ୍ଟି କରିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି କେନ୍ଦ୍ରରେ ଦୀର୍ଘ ଦିନ ହେବ ବିଦ୍ୟୁତ ସଂଯୋଗ ନାହିଁ। ଅନ୍ଧାର ମଧ୍ୟରେ କିମ୍ବା ଟର୍ଚ୍ଚ ଲାଇଟ୍ ସାହାଯ୍ୟରେ ଅତି କଷ୍ଟରେ କାର୍ଯ୍ୟ ସମ୍ପାଦନ କରାଯାଉଛି। ଏହା ବ୍ୟତୀତ ବ୍ୟବଚ୍ଛେଦ ପାଇଁ ପାଣିର ଆବଶ୍ୟକତା ଥିଲେ ମଧ୍ୟ ଏଠାରେ କୌଣସି ଜଳ ଯୋଗାଣର ବ୍ୟବସ୍ଥା ନାହିଁ । ଚାରିଆଡେ ଗନ୍ଧମୟ ପରିବେଶ ଯୋଗୁଁ ମୃତକଙ୍କ ସମ୍ପର୍କୀୟମାନେ ଏଠାରେ ଛିଡ଼ା ହେବା ମଧ୍ୟ କଷ୍ଟକର ହୋଇପଡ଼ୁଛି । ଏଭଳି ଅବ୍ୟବସ୍ଥାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦୁର୍ଘଟଣା କିମ୍ବା ସ୍ୱାଭାବିକ ମୃତ୍ୟୁ ପରେ ଶୋକାକୁଳ ପରିବାର ଏଠାକୁ ଆସିବା ବେଳେ, ଏହି ଦୟନୀୟ ସ୍ଥିତି ସେମାନଙ୍କ ଦୁଃଖକୁ ଆହୁରି ବଢ଼ାଇ ଦେଉଛି। ଏଣୁ ତୁରନ୍ତ ଏହି ଶବ ବ୍ୟବଚ୍ଛେଦ ଗୃହର ମରାମତି ସହ ବିଦ୍ୟୁତ ଓ ଜଳ ଯୋଗାଣ ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ କୋମନା ବ୍ଲକ ଉପାଧ୍ୟକ୍ଷ ଜୟଦେବ ପ୍ରଧାନ ଓ ଅନ୍ୟାନ୍ୟ ମାନେ ଦାବୀ କରିଛନ୍ତି।

