ସମସ୍ତ ବ୍ଲକରେ ଆୟୋଜିତ ହେବ "ମେଧା ଶିବିର" - ଜିଲ୍ଲାପାଳ
ନୂଆପଡା : ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ନୂଆପଡ଼ା ଠାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ନୂଆପଡ଼ା ଆନୁକୁଲ୍ୟରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସମସ୍ତ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ପ୍ରଶାନ୍ତ କୁମାର ମହାନ୍ତି, ଉଭୟ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ଏବଂ ଡ଼ଃ ରେଶମ ଲାଲ ନାଏକ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା, ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଅତିରିକ୍ତ ଜନ କଲ୍ୟାଣ ଅଧିକାରୀ, ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ପବିତ୍ର କୁମାର ନାହାକ, ହେମନ୍ତ ଭୋଇ ତଥା ୧୫୫ ଜଣ ପ୍ରଧାନ ଶିକ୍ଷକ/ପ୍ରଧାନ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଆସନ୍ତା ଦଶମ ବୋର୍ଡ ପରୀକ୍ଷାରେ ଜିଲ୍ଲାର ସଫଳତା ହାରରେ ଉନ୍ନତି ନିମନ୍ତେ ପ୍ରସ୍ତୁତ "ସମ୍ଭାବନା -୨୦୨୬" ଉପରେ ଗଭୀର ବିଚାର ମନ୍ଥନ କରାଯାଇଥିଲା। ପରୀକ୍ଷାରେ ଶତ ପ୍ରତିଶତ ଛାତ୍ରଛାତ୍ରୀଙ୍କ ଉପସ୍ଥିତି,ଶତ ପ୍ରତିଶତ ଉତ୍ତୀର୍ଣ୍ଣ ତଥା ଏ-୧ ଓ ଏ-୨ ଗ୍ରେଡରେ ୨୦୨ ଜଣଙ୍କ ସଫଳତା ସୁନିଶ୍ଚିତତା କରିବା ପାଇଁ ଜିଲ୍ଲାପାଳ ଆହ୍ବାନ ଦେଇଥିଲେ । ଏହା ସହିତ ପ୍ରତ୍ୟେକ ମାସ "ଶିକ୍ଷାମିତ୍ର ପୁରସ୍କାର" ପ୍ରଦାନ, ପ୍ରତ୍ୟେକ ସପ୍ତାହରେ ଏକ ଘଣ୍ଟିଆ ଶିକ୍ଷକ ଶିକ୍ଷୟିତ୍ରୀଙ୍କ "ଆତ୍ମ ଚିନ୍ତନ" କରିବା ପାଇଁ କହିଥିଲେ ।
ସମସ୍ତଙ୍କ ହେଲୋ ଟ୍ୟୁନ୍ " ଆହେ ଦୟାମୟ ବିଶ୍ଵ ବିହାରୀ" ରଖିବା ପାଇଁ ନିର୍ଦ୍ଦେଶ କରିଥିଲେ। ରାଜ୍ୟ ମୁକ୍ତ ବିଦ୍ୟାଳୟରେ ନାମଲେଖା, ସାପ୍ତାହିକ ପରୀକ୍ଷା,ପ୍ରିବୋର୍ଡ ପରୀକ୍ଷା, ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପ୍ରକାରର ବୃତ୍ତି ଉପରେ ଆଲୋଚନା ହୋଇଥିଲା। ପ୍ରକାଶ ଯୋଗ୍ୟ ଯେ, ଆସନ୍ତା ଫେବୃୟାରୀ ୧୭ରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ହେବାକୁ ଥିବାବେଳେ ଫେବୃୟାରୀ ୨ ରୁ ୭ ତାରିଖରେ ସମସ୍ତ ବ୍ଲକରେ "ମେଧା ଶିବିର" ଆୟୋଜନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ତଥା ଏକ ମାସ ପରେ ପୁଣି ସମୀକ୍ଷା ବୈଠକ ଆୟୋଜନ କରିବା ପାଇଁ କହିଛନ୍ତି। ଜିଲ୍ଲା ବିଜ୍ଞାନ ନିରୀକ୍ଷକ କାର୍ଯ୍ୟକ୍ରମ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ।


