ସିନାପାଲି : ପରମେଶ୍ୱର ମେହେର ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବନ ବିଭାଗ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ (ଆଞ୍ଚଳିକ କାର୍ଯ୍ୟାଳୟ, ବଲାଙ୍ଗୀର) ର ମିଳିତ ଆନୁକୂଲ୍ୟରେ ନାଲସା ପ୍ରେରିତ ‘ରାଷ୍ଟ୍ରୀୟ ପରିବେଶ ସୁରକ୍ଷା ଅଭିଯାନ’ ଓ ରାଜ୍ୟରେ ଚାଲିଥିବା ‘ପ୍ଲାଷ୍ଟିକମୁକ୍ତ ବଣଭୋଜୀସ୍ଥଳ ଅଭିଯାନ’ ଅଧୀନରେ ସିନାପାଲି ବ୍ଲକସ୍ଥିତ ଥିପାଖୋଲ ପର୍ଯ୍ୟଟନସ୍ଥଳୀରେ ବ୍ୟାପକ ସଚେତନତା ଓ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ପରିବେଶ ସୁରକ୍ଷା ସମ୍ପର୍କରେ ଆଇନଗତ ସଚେତନତା ସୃଷ୍ଟି କରିବା, ଏକକ-ବ୍ୟବହାର ପ୍ଲାଷ୍ଟିକମୁକ୍ତ ଜିଲ୍ଲା ଗଠନ ପାଇଁ ସଚେତନତା ବୃଦ୍ଧି କରିବା ସହ ବାଲ୍ୟବିବାହମୁକ୍ତ ଭାରତ ଓ ନିଶାମୁକ୍ତ ଭାରତ ଗଠନ ପାଇଁ ସାମୁହିକ ଆହ୍ୱାନ ଦେବା । କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ଓ ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ୍ ଉପସ୍ଥିତ ରହି ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ପ୍ଲାଷ୍ଟିକମୁକ୍ତ ରଖିବା, ପ୍ରକୃତି ସୁରକ୍ଷା କରିବା ସହିତ ସମାଜକୁ ବାଲ୍ୟବିବାହ ଓ ନିଶା ମୁକ୍ତ କରିବାରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଆହ୍ୱାନ ଜଣାଇଥିଲେ ।
ସଭାରେ ସିନାପାଲି ରେଞ୍ଜର କାମେଶ୍ୱର ତାଣ୍ଡି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଲ୍ୟାବ୍ ସହକାରୀ ଳଳିତ କୁମାର ମହାପାତ୍ର, ‘ୟାର୍’ ସଂଗଠନର ପ୍ରତିଷ୍ଠାତା ମହେନ୍ଦ୍ର ଯୋଶୀ, ‘ମିରର୍’ ସଂଗଠନର ପ୍ରତିଷ୍ଠାତା କାର୍ତ୍ତୀକ ବାଗ, ଫ୍ୟାମିଲି କାଉନସିଲର ଯଶୋବନ୍ତି ବାଗ ସହିତ ମିରର୍ ଅନୁଷ୍ଠାନର ବହୁ ସ୍ୱେଚ୍ଛାସେବୀ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧିକାରମିତ୍ରଗଣ କ୍ଷୀରସିନ୍ଧୁ ସଗରିଆ, ଅଞ୍ଜନା ଜଗତ, ସରୋଜିନୀ ନାଏକ, ଅନିତା ନାଏକ, ବର୍ଷା ମେହେର, ଆନନ୍ଦି ବାଗ ଓ ବୋଧିସତ୍ତ୍ୱ ବାଗ ପ୍ରମୁଖ ଉପସ୍ଥିତ ଥିଲେ । ସଫେଇ ଅଭିଯାନ ସମୟରେ ପ୍ରାୟ ୬୦ କିଲୋଗ୍ରାମ ପ୍ଲାଷ୍ଟିକ୍ ଆବର୍ଜନା ଥିପାଖୋଲ ପର୍ଯ୍ୟଟନସ୍ଥଳୀରୁ ସଂଗ୍ରହ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ସମସ୍ତ ଉପସ୍ଥିତ ବ୍ୟକ୍ତି ମିଶି ବାଲ୍ୟବିବାହମୁକ୍ତ ଭାରତ ଗଠନ ଓ ବଣଭୋଜୀସ୍ଥଳଗୁଡ଼ିକୁ ସଦା ପ୍ଲାଷ୍ଟିକମୁକ୍ତ ରଖିବା ପାଇଁ ଶପଥ ଗ୍ରହଣ କରିଥିଲେ ।


