ସିଏମ୍ ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗର ସମାଧାନ ହୋଇଛି; ଆଇନ ମନ୍ତ୍ରୀ

ଆଜତକ ଓଡ଼ିଶା
0

ଭୁବନେଶ୍ବର (ସମୀର ରଞ୍ଜନ ନାୟକ) ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହୋଇଥିବା ଅଭିଯୋଗର ୯୧ ପ୍ରତିଶତ ସମାଧାନ ହୋଇଛି । ଦେଢ଼ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ୧୩ ହଜାର ୩୫୮ ଅଭିଯୋଗ ଗ୍ରହଣ କରିଛନ୍ତି ସେଥିରୁ ୧୨ ହଜାର ୪୩୨ ଅଭିଯୋଗର ସମାଧାନ ହୋଇଛି । ବାକି ଅଭିଯୋଗ ଜଟିଳ ଥିବାରୁ ବିଭାଗୀୟ ତର୍ଜମା କରାଯାଉଛି ବୋଲି ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ବିଧାନସଭାର ଚାଲିଥିବା ଶୀତ ଅଧିବେଶନ ଆଜି ଦଶମ ଦିନରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରଶ୍ନ କରିଥିଲେ ଯେ ପୂର୍ବରୁ ଅଫିସର ରାଜ ଚାଲୁଥିବାରୁ ଗ୍ରାଉଣ୍ଡ ସ୍ତରରେ ବ୍ଲକକୁ ଆସୁଥିବା ଲୋକଙ୍କ ଅଭିଯୋଗ ସମାଧାନ ହେଉ ନ ଥିଲା । ତେଣୁ ସେଗୁଡିକ ସମାଧାନ ପାଇଁ କଣ ପଦକ୍ଷେପ ନିଆ ଯାଇଛି ଓ କିଛି ସମୟ ସୀମା ନିର୍ଦ୍ଧାରିତ ଅଛି କି ଯାହାର ଲିଖିତ ତଥ୍ଯ ସହ ଉତ୍ତର ଦେଇଛନ୍ତି ଆଇନମନ୍ତ୍ରୀ । ଆଇନ ମନ୍ତ୍ରୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ମୋଟ୍ ୧୩,୩୫୮ଟି ଅଭିଯୋଗ ଆସିଛି । ଯେଉଁଥିରୁ ୧୨, ୪୩୨ ଅଭିଯୋଗର ସମାଧାନ ହୋଇ ସାରିଛି । ଜିଲ୍ଲା, ଉପଖଣ୍ଡ ଓ ତହସିଲ ସ୍ତରରେ ବି ପ୍ରତି ସୋମବାର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଚାଲୁଛି । ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ନିର୍ଦ୍ଦେଶାଳୟ ସହ ଅନଲାଇନ ପୋର୍ଟାଲ ମାଧ୍ୟମରେ ବି ଅଭିଯୋଗ ରେଜିଷ୍ଟ୍ରେସନ କରାଯାଉଛି । ପୂର୍ବରୁ ୨୦୦୮ରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଥିଲେ ବି ପୂର୍ବ ସରକାର ସମୟରେ ଏହା ହେଉ ନ ଥିଲା । ଆଇନ ମନ୍ତ୍ରୀ ଆହୁରି କହିଛନ୍ତି ଯେ ,୧୪ ଲକ୍ଷ ୪୧ ହଜାର ୮୩୨ଟି ଅଭିଯୋଗ ଜନଶୁଣାଣି ପୋର୍ଟାଲରେ ରେଜିଷ୍ଟ୍ରେସନ ହୋଇଛି । ଏଥିରୁ ୧୩ ଲକ୍ଷ ୭ ହଜାର ୨୫୩ଟି ଅଭିଯୋଗର ସମାଧାନ ହୋଇଛି । ବାକି ଥିବା ୧ ଲକ୍ଷ ୩୪ ହଜାର ୫୭୯ଟି ଅଭିଯୋଗ ମଧ୍ୟରୁ ଅଧିକାଂଶ ଜଟିଳ ଅଛି । ଏହାର ସମାଧାନ ପାଇଁ ବିଭିନ୍ନ ଦିଗ ଉପରେ ବିଚାର ଚାଲିଛି ।

Post a Comment

0 Comments

Please Select Embedded Mode To show the Comment System.*

3/related/default