ଭୁବନେଶ୍ୱର : (ସମୀର ରଞ୍ଜନ ନାୟକ) କିଟ୍ ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ହଷ୍ଟେଲରୁ ଛାତ୍ରଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି । ମୃତ ଛାତ୍ର ଛତିଶଗଡର ରାହୁଲ ଯାଦବ ବୋଲି ସୂଚନା ମିଳିଛି । ସେ କମ୍ପ୍ୟୁଟର ସାଇନ୍ସର ପ୍ରଥମ ବର୍ଷ ଛାତ୍ର ଥିଲେ । ଏନେଇ ସ୍ପଷ୍ଟ କରିଛନ୍ତି ଏସିପି ସୋନାଲ୍ ସିଂହ ପରମାର । ଛାତ୍ର ଜଣଙ୍କ ଜୀବନ ହାରିଥିବା ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି ଇନଫୋସିଟି ଥାନା ପୁଲିସ ।ଗତ ଫେବ୍ରୁଆରି ୧୬ ତାରିଖ ରାତିରେ ନେପାଳର ମୂଳବାସିନ୍ଦା ତଥା ଇଞ୍ଜିନିୟରିଂ ଛାତ୍ରୀ ପ୍ରକୃତି ଲାମ୍ସା(୧୯)ଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପ୍ରେମରେ ଧୋକା ଖାଇବା ପରେ ପ୍ରକୃତି ଏଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଥିଲା। ଏହାକୁ ନେଇ ବିଶ୍ବବିଦ୍ୟାଳୟ ହଷ୍ଟେଲ୍ରେ ରହୁଥିବା ଶତାଧିକ ନେପାଳୀ ଛାତ୍ରଛାତ୍ରୀ ଉତ୍ତେଜିତ ହୋଇ ପଡ଼ିଥିଲେ ଏବଂ ଧୋକାବାଜ ଛାତ୍ରକୁ ତୁରନ୍ତ ଗିରଫ କରିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓ କମିସନରେଟ୍ ପୁଲିସର ବୁଝାସୁଝା ପରେ ବି ଉତ୍ତେଜିତ ଛାତ୍ରଛାତ୍ରୀ ରାତିତମାମ ହୋ-ହଲ୍ଲା କରିଥିଲେ। ସ୍ଥିତି ଅଣାୟତ୍ତ ହେବାରୁ ସକାଳୁ କିଟ୍ରେ ସାଇନ-ଏ-ଡାଏ ଘୋଷଣା କରାଯାଇଥିଲା। ଏହା ଭିତରେ ପୁଲିସ ଅଭିଯୁକ୍ତ ଛାତ୍ର ଉତ୍ତରପ୍ରଦେଶ ଲକ୍ଷ୍ନୌର ଆଦଭିକ୍ ଶ୍ରୀବାସ୍ତବ (୨୧) କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଭୁବନେଶ୍ବର ବିମାନବନ୍ଦରରୁ ପୁଲିସ ତାଙ୍କୁ ଗିରଫ କରିଥିଲା। ଏହି ଘଟଣାକୁ ନେଇ ଜାତୀୟ ମାନବିକ ଅଧିକାର କମିସନ୍ କିଟ୍ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ବର୍ତ୍ତମାନ ଆଉ ଜଣେ କିଟ୍ ଛାତ୍ରଙ୍କ ମୃତଦେହ ଉଦ୍ଧାର ହେବା ପରେ ପୁଣି କୀଟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି

