ସମ୍ବିଧାନ: ଏକ ଶିକ୍ଷିତ ସମାଜର ଆଲୋକ

ଆଜତକ ଓଡ଼ିଶା
0

ସିନାପାଲି (ପରମେଶ୍ୱର ମେହେର):
ଭାରତୀୟ ସମ୍ବିଧାନ କେବଳ ଏକ ଶାସନ-ପୁସ୍ତକ ନୁହେଁ, ଏହା ଦେଶବାସୀଙ୍କ ସ୍ୱାଧୀନତା, ସମାନତା ଓ ଭାଇଚାରାର ଜୀବନ ଦର୍ଶନ। ସମ୍ବିଧାନର ନିର୍ମାତା ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜୀବନ ବି ଏହି ଦର୍ଶନର ଉଜ୍ଜ୍ୱଳ ଉଦାହରଣ। ସେ ୧୪ ଏପ୍ରିଲ ୧୮୯୧ ମସିହାରେ ମଧ୍ୟପ୍ରଦେଶର ମୌହ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଦଳିତ ପରିବାରରେ ଜନ୍ମ ହୋଇଥିବାରୁ ଅସ୍ପୃଶ୍ୟତା, ଜାତିଆ ଅନ୍ୟାୟ ଓ ଅସମାନତାର କଠୋର ଅନୁଭବ ସେ କରିଥିଲେ। ଅସୁବିଧାଗୁଡ଼ିକୁ ପରାଜିତ କରି ତାଙ୍କ ଜୀବନରେ ଶିକ୍ଷା ହେଲା ସବୁଠାରୁ ବଡ଼ ଅସ୍ତ୍ର। କିଛି ଦୟାଶୀଳ ଶିକ୍ଷକଙ୍କ ସହାୟତା ଓ ନିଜର ପରିଶ୍ରମରେ ସେ ଅର୍ଥଶାସ୍ତ୍ର, ସମାଜଶାସ୍ତ୍ର ଓ ଆଇନରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ପରବର୍ତ୍ତୀକାଳରେ ସେ ଭାରତର ପ୍ରଥମ ଆଇନମନ୍ତ୍ରୀ ହୋଇଥିଲେ। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଗଠନରେ ତାଙ୍କ ଚିନ୍ତାଧାରା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା।

ଭାରତୀୟ ସମ୍ବିଧାନ ପ୍ରଣୟନ କାମ ୨ ବର୍ଷ ୧୧ ମାସ ୧୮ ଦିନ ଧରି ନିରନ୍ତର ପ୍ରୟାସର ଫଳ। ଏହା ୨୬ ନଭେମ୍ବର ୧୯୪୯ ରେ ଗୃହୀତ ହୋଇ, ୨୬ ଜାନୁଆରୀ ୧୯୫୦ ରୁ କାର୍ଯ୍ୟକାରୀ ହୋଇଥିଲା। ସମ୍ବିଧାନ ପ୍ରସ୍ତୁତି ପାଇଁ ୧୬ ମାର୍ଚ୍ଚ ୧୯୪୬ ରେ ବ୍ରିଟିଶ ସରକାର ଭାରତକୁ ତିନିଜଣ କ୍ୟାବିନେଟ୍‌ ମିଶନ ପଠାଇଥିଲେ। ୯ ଡିସେମ୍ବର ୧୯୪୬ ରେ ନୂଆ ଦିଲ୍ଲୀର ସମ୍ବିଧାନ ହଲରେ ପ୍ରଥମ ସଭା ବସିଥିଲା।ପ୍ରଥମେ ସଚ୍ଚିତାନନ୍ଦ ସିନ୍ହା କ୍ଷଣସ୍ଥାୟୀ ସଭାପତି ଥିଲେ, ପରେ ରାଜେନ୍ଦ୍ର ପ୍ରସାଦ ନିର୍ବାଚିତ ହୋଇ ସଭାପତି ପଦରେ ବସିଥିଲେ।

ସମ୍ବିଧାନ ସଭାରେ ୨୯୬ ଜଣ ସଦସ୍ୟଙ୍କୁ ଆମନ୍ତ୍ରଣ କରାଯାଇଥିଲା ଯଦିଓ ୨୦୭ ଜଣ ମାତ୍ର ଉପସ୍ଥିତ ହୋଇପାରିଥିଲେ। ୮୬ ସଦସ୍ୟ ସଭାରେ ଅଂଶଗ୍ରହଣ କରିନଥିଲେ। ଡ. ଆମ୍ବେଦକର ବମ୍ବେରୁ ନିର୍ବାଚିତ ହୋଇପାରିନଥିଲେ; ପରେ ବେଙ୍ଗଳ ରୁ ନିର୍ବାଚିତ ହୋଇ ସଭାରେ ଯୋଗଦେଇଥିଲେ। ସାମାଜିକ ଅସମାନତା, ଛୁଆଛୁତ ଓ ଭେଦଭାବର ନିରନ୍ତର ପ୍ରତିବାଦୀ ଥିଲେ ଆମ୍ବେଦକର। ସେ ବିଶ୍ୱାସ କରୁଥିଲେ ଯେ ଅସାମାଜିକ ବ୍ୟବସ୍ଥା ଦେଶର ଉନ୍ନତିକୁ ବାଧାଗ୍ରସ୍ତ କରେ। ତେଣୁ ସମ୍ବିଧାନର ମୂଳ ସ୍ତମ୍ଭରେ ସ୍ୱାଧୀନତା, ସମାନତା ଓ ଭାଇଚାରାକୁ ସ୍ଥାନ ଦିଆଯାଇଛି। ୨୦୧୫ ମସିହାଠାରୁ ୨୬ ନଭେମ୍ବରକୁ “ସମ୍ବିଧାନ ଦିବସ” ଭାବରେ ପାଳନ କରାଯାଉଛି। ସମ୍ବିଧାନର ସଚେତନତା, ଶିକ୍ଷା ଓ ମୂଲ୍ୟବୋଧ ଆଜିର ସମାଜରେ ଅତ୍ୟନ୍ତ ଆବଶ୍ୟକ।
ଧାରା ୨୧ ଅନୁଯାୟୀ ଶିକ୍ଷା ହେଉଛି ସମସ୍ତଙ୍କର ଅଧିକାର—
ଏହି ଶିକ୍ଷା ହିଁ ସମାଜକୁ ଅନ୍ଧାରରୁ ଆଲୋକକୁ ନେଇଯାଇପାରେ।

ସମାଜରେ ଆମେ ସମାନତା, ନ୍ୟାୟ ଓ ଭାତୃତ୍ୱର ସ୍ୱପ୍ନକୁ ସାକାର କରିବାକୁ ଲାଗି—
ଡ. ଆମ୍ବେଦକରଙ୍କ ଦର୍ଶନକୁ ପ୍ରତିଦିନ ଆଚରଣରେ ଆଣିବା ଅନିବାର୍ଯ୍ୟ।

ଏହିପାଇଁ ଠିକ୍‌ ଭାବେ କୁହାଯାଏ—
“ସମ୍ବିଧାନ ଆମକୁ ଅଧିକାର ଦିଏ, ଶିକ୍ଷା ଆମକୁ ସେହି ଅଧିକାରର ମୂଲ୍ୟ ବୁଝାଏ।”

Post a Comment

0 Comments

Please Select Embedded Mode To show the Comment System.*

3/related/default