ନୂଆପଡା ଉପନିର୍ବାଚନ, ଜିଲ୍ଲାପାଳଙ୍କ ନିଆରା ଉଦ୍ୟମ ପୋଲିଂ ଅଧିକାରୀଙ୍କ ମନ ମୋହିଲା

ଆଜତକ ଓଡ଼ିଶା
0

ନୂଆପଡା:- ୧୦ ନଭେମ୍ବର ୨୦୨୫ (ବିରବଲ ପ୍ରଧାନ)
ଆସନ୍ତାକାଲି ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ହେବ । ଏଥିପାଇଁ ଆଜି ସ୍ଥାନୀୟ ନେସନାଲ କଲେଜରେ ବିତରଣ କେନ୍ଦ୍ର, Dispersal Center ସ୍ଥାପନ ହୋଇଥିଲା । ସମସ୍ତ ୩୫୮ ଟି ବୁଥ ପାଇଁ ଏଠାରୁ ଇଭିମ୍ ସହିତ ନିର୍ବାଚନ ସାମଗ୍ରୀ ନେଇ ପୋଲିଂ ଅଧିକାରୀ ମାନେ ନିଜ ନିଜ ପୋଲିଂ ବୁଥ ଅଭିମୁଖେ ଯାତ୍ରା କରିଥିଲେ । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶଙ୍କ ଉଦ୍ୟମକ୍ରମେ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ଥିବାରୁ ମଧ୍ୟାହ୍ନ ପୂର୍ବରୁ ସମସ୍ତ ବିତରଣ ପ୍ରକ୍ରିୟା ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା । ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ଦିବସରେ ଜିଲ୍ଲାପାଳଙ୍କ ନିଆରା ଉଦ୍ୟମ ପୋଲିଂ ଅଧିକାରୀଙ୍କ ମନ ମୋହିବା ସହିତ ଚର୍ଚ୍ଚା ର ବିଷୟ ପାଲଟିଥିଲା । ପ୍ରଥମ ଥର ପାଇଁ ବୋଡ଼େନ, ଖରୀଆର ଓ ସିନାପାଲି କୁ ୯ଟି ସରକାରୀ ବସ୍ ପଠାଇ ପୋଲିଂ ଅଧିକାରୀ ମାନଙ୍କ ଶୀଘ୍ର ପହଞ୍ଚିବା ପାଇଁ ବନ୍ଦୋବସ୍ତ କରିଥିଲେ । ନିଜେ ଜିଲ୍ଲାପାଳ ଭୋର୍ ସକାଳୁ ପହଞ୍ଚି ଗୋଲାପ ଫୁଲ ପ୍ରଦାନ କରି ଅଧିକାରୀ ମାନଙ୍କୁ ସ୍ବାଗତ କରିଥିଲେ ।

ସେ ବ୍ୟକ୍ତିଗତ ଭାବରେ ସମସ୍ତ କାଉଣ୍ଟର ବୁଲି ଦାୟିତ୍ୱରେ ଥିବା ଅଧିକାରୀ ତଥା ପୋଲିଂ ଅଧିକାରୀ ମାନଙ୍କ ସହିତ ଖୁସି ମନରେ ହାତ ମିଳାଇ ସେମାନଙ୍କ ସୁବିଧା ଅସୁବିଧା ବୁଝିଥିଲେ । ସମସ୍ତଙ୍କୁ ଆନନ୍ଦର ସହିତ ନିର୍ବାଚନ ଦାୟୀତ୍ଵ ନିର୍ବାହ କରିବା ପାଇଁ ଉତ୍ସାହିତ କରିଥିଲେ। ଏହା ସହିତ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ପୋଲିଂ ପାର୍ଟି ପାଇଁ ସେମାନଙ୍କ ଭୋଟ ଗ୍ରହଣ କେନ୍ଦ୍ର ସ୍କୁଲ୍ ରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ଵାରା ଖାଇବା ବନ୍ଦୋବସ୍ତ କରାଯାଇଥିଲା । ଏହା ଚର୍ଚ୍ଚା ର ବିଷୟ ଥିଲା ଯେ ,ବିଗତ ନିର୍ବାଚନ ମାନଙ୍କରେ ଯେତେବେଳେ ନେସନାଲ କଲେଜରେ ବିତରଣ ପ୍ରକ୍ରିୟା ଆରମ୍ଭ ହୋଇଥାଏ, ଏଥର ସେହି ସମୟରେ ସମସ୍ତ ପୋଲିଂ ପାର୍ଟି ପ୍ରସ୍ତୁତ ହୋଇ ବୁଥ ଅଭିମୁଖେ ଚାଲି ଯାଇଥିଲେ । ଆଜିର ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସଂପାଦନ ପାଇଁ ଜିଲ୍ଲାପାଳ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।ଆସନ୍ତା କାଲିର ନିର୍ବାଚନ ସମ୍ପୂର୍ଣ ଭାବରେ ସ୍ୱଚ୍ଛ , ପାରଦର୍ଶୀ ଓ ଶାନ୍ତିପୂର୍ଣ୍ଣ ଭାବରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ଆଶା ପୋଷଣ କରି ନୂଆପଡା ନିର୍ବାଚନ ମଣ୍ଡଳୀର ସମସ୍ତ ମତଦାତାଙ୍କ ସହଯୋଗ କାମନା କରିଛନ୍ତି ।

Post a Comment

0 Comments

Please Select Embedded Mode To show the Comment System.*

3/related/default