ନୂଆପଡା ଉପନିର୍ବାଚନ ପାଇଁ ପ୍ରିଜାଇଡିଂ ଓ ପୋଲିଂ ଅଫିସର ମାନଙ୍କ ଦ୍ୱିତୀୟ ପର୍ଯ୍ୟାୟ ଟ୍ରେନିଂ ଶେଷ

ଆଜତକ ଓଡ଼ିଶା
0

ନୂଆପଡା : (ବିରବଲ ପ୍ରଧାନ) ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ପ୍ରିଜାଇଡିଂ ଓ ପୋଲିଂ ଅଫିସର ମାନଙ୍କ ଦ୍ୱିତୀୟ ପର୍ଯ୍ୟାୟ ଟ୍ରେନିଂର ଆଜି ଶେଷ ଦିନଥିଲା । ସ୍ଥାନୀୟ ନେସନାଲ ହାଇସ୍କୁଲ, ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ଓ ୱାଟର ସେଡ ସମ୍ମିଳନୀ କକ୍ଷରେ ଏହି ତାଲିମ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ଓ ପ୍ରଫୁଲ୍ଲ କୁଯୁରଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ସ୍ତରୀୟ ଓ ମାଷ୍ଟର ଟ୍ରେନର ମାନେ ପ୍ରିଯାଇଡିଂ ଓ ପୋଲିଂ ଅଧିକାରୀ ମାନଙ୍କୁ ଇ ଭି ଏମ୍ , କଣ୍ଟ୍ରୋଲ ୟୁନିଟ ଓ ଭି ଭି ପାଟ କାର୍ଯ୍ୟକାରିତା ସମ୍ବନ୍ଧରେ ବିଶଦ ଭାବରେ ତାଲିମ୍ ପ୍ରଦାନ କରିଥିଲେ । ଜିଲ୍ଲାପାଳ ମଧୁସୁଦନ ଦାଶ ତାଲିମ୍ କେନ୍ଦ୍ରରେ ଉପସ୍ଥିତ ରହି ଅଧିକାରୀ ମାନଙ୍କୁ ବ୍ୟବହାରିକ ପ୍ରଶିକ୍ଷଣ ଦେଇଥିଲେ । ସେ ଅଧିକାରୀ ମାନଙ୍କ ଦ୍ଵାରା ଆଗତ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ । ତାଲିମ ସମୟରେ ପ୍ରିଜାଇଡିଂ ଅଫିସର ମାନେ ୧୦୦ଟି ମକ୍ ଭୋଟ ଦେଇ ଏବଂ ଏହାକୁ VVPAT ସ୍ଲିପ୍ ସହିତ ମିଳାଇ ମକ୍ ଡ୍ରିଲ୍ କରିଥିଲେ । ମକ୍ ପୋଲ୍ ସମୟରେ ଭୋଟିଂ ମେସିନ୍ ଓ ଭି ଭି ପାଟ ର ଶତ ପ୍ରତିଶତ ସଠିକତା ସୁନିଶ୍ଚିତ ହେଲା । ଭୋଟ ଗ୍ରହଣ ଦିନ ଭୋଟ ଆରମ୍ଭ ପୂର୍ବରୁ ଟିମ୍ ମକ୍ ପୋଲ କରି ତାହାର ରିପୋର୍ଟ ତିଆରି କରିବେ । ଶେଷରେ ସମସ୍ତ ମେସିନ୍‌କୁ ଦଳ ଏଜେଣ୍ଟ ମାନଙ୍କ ଉପସ୍ଥିତିରେ ସିଲ୍ କରିବେ। ଭୋଟିଂ ସମୟରେ ମତଦାତା EVM ରେ ବଟନ୍ ଦବାଇଲେ, VVPAT ରେ ତାଙ୍କ ଭୋଟର ସ୍ଲିପ୍ ୭ ସେକେଣ୍ଡ ପର୍ଯ୍ୟନ୍ତ ଦେଖି ପାରିବେ, ଯାହା ପରେ ସେହି ସ୍ଲିପ୍ ସ୍ୱୟଂକ୍ରିୟ ଭାବେ ବକ୍ସ୍‌ରେ ପଡ଼ିଯିବ।ନିର୍ବାଚନ ଅଧିକାରୀମାନଙ୍କୁ ଏହା ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଯେ ମତଦାତାଙ୍କୁ VVPAT ମେସିନ୍‌ କିମ୍ବା ସ୍ଲିପ୍ ଛୁଇଁବାକୁ ଅନୁମତି ଦିଆଯିବ ନାହିଁ।ଯଦି କୌଣସି ମେସିନ୍ ରେ ଯାନ୍ତ୍ରିକ ତ୍ରୁଟି ହୁଏ ତାହେଲେ ସେକ୍ଟର ଅଫିସରଙ୍କୁ ଶୀଘ୍ର ଜଣାଇବେ। ଭୋଟିଂ ୟୁନିଟ୍, କଣ୍ଟ୍ରୋଲ ୟୁନିଟ ଓ ଭି ଭି ପାଟ ର ଯାନ୍ତ୍ରିକ ତ୍ରୁଟି ସୁଧାରିବା ପାଇଁ ଇଞ୍ଜିନିୟର ମାନେ ସଦା ପ୍ରସ୍ତୁତ ରହିବେ । ଜିଲ୍ଲାପାଳ କହିଛନ୍ତି ଯେ ଭୋଟିଂ ମେସିନ୍ ସବୁର ସଠିକ୍ ବ୍ୟବହାର ମତଗ୍ରହଣ ପ୍ରକ୍ରିୟାକୁ ସମ୍ପୂର୍ଣ ନିଷ୍ପକ୍ଷ ଓ ପାରଦର୍ଶୀ କରିବ। ଉତ୍ସର୍ଗୀକୃତ ଭାବରେ ନିଜର ଦାୟୀତ୍ଵ ନିର୍ବାହ କରିବାପାଇଁ ସେ ସମସ୍ତ ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଛନ୍ତି ।

Post a Comment

0 Comments

Please Select Embedded Mode To show the Comment System.*

3/related/default