ନୂଆପଡା (ବିରବଲ ପ୍ରଧାନ) ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ପ୍ରିଜାଇଡିଂ ଓ ପୋଲିଂ ଅଫିସର ମାନଙ୍କ ଦ୍ୱିତୀୟ ପର୍ଯ୍ୟାୟ ଟ୍ରେନିଂ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ନେସନାଲ ହାଇସ୍କୁଲ, ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ଓ ୱାଟର ସେଡ ସମ୍ମିଳନୀ କକ୍ଷରେ ଏହି ତାଲିମ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ସ୍ତରୀୟ ଓ ମାଷ୍ଟର ଟ୍ରେନର ମାନେ ପ୍ରିଯାଇଡିଂ ଓ ପୋଲିଂ ଅଧିକାରୀ ମାନଙ୍କୁ ଇ ଭି ଏମ୍ , କଣ୍ଟ୍ରୋଲ ୟୁନିଟ ଓ ଭି ଭି ପାଟ କାର୍ଯ୍ୟକାରିତା ସମ୍ବନ୍ଧରେ ବ୍ୟବହାରିକ ତାଲିମ୍ ପ୍ରଦାନ କରିଥିଲେ । ଜିଲ୍ଲାପାଳ ମଧୁସୁଦନ ଦାଶ ତାଲିମ୍ କକ୍ଷ ମାନଙ୍କରେ ଉପସ୍ଥିତ ରହି ପ୍ରଶ୍ନୋତ୍ତର ମାଧ୍ୟମରେ ଅଧିକାରୀ ମାନଙ୍କ ଦ୍ଵାରା ଆଗତ ସମସ୍ତ ସମସ୍ୟା ର ସମାଧାନ କରିଥିଲେ । ତାଲିମ ସମୟରେ ପ୍ରିଜାଇଡିଂ ଅଫିସର ମାନେ ୧୦୦ଟି ମକ୍ ଭୋଟ ଦେଇ ଏବଂ ଏହାକୁ VVPAT ସ୍ଲିପ୍ ସହିତ ମିଳାଇ ମକ୍ ଡ୍ରିଲ୍ କରିଥିଲେ । ମକ୍ ପୋଲ୍ ସମୟରେ ଭୋଟିଂ ମେସିନ୍ ର ଶତ ପ୍ରତିଶତ ସଠିକତା ସୁନିଶ୍ଚିତ ହେଲା । ଏହାପରେ ଉଦ୍ଦିଷ୍ଟ ଫର୍ମାଟରେ ସେମାନେ ପ୍ରମାଣପତ୍ର ପ୍ରଦାନ କରିଥିଲେ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ତାଲିମ୍ , ଭୋଟିଂ ମେସିନ ର କାର୍ଯ୍ୟ ଦକ୍ଷତା , ମକ୍ ପୋଲର ଭିଡିଓ ରେକର୍ଡିଂ କରାଯାଇ ସ୍ବଚ୍ଛତା ଓ ପାରଦର୍ଶିତା କୁ ଶତ ପ୍ରତିଶତ ସୁନିଶ୍ଚିତ କରାଯାଇଛି । ଜିଲ୍ଲାପାଳ କହିଛନ୍ତି ଯେ ଜିଲ୍ଲାର ମତଦାତା ମାନେ ସୁନିଶ୍ଚିତ ରୁହନ୍ତୁ ଯେ ସେମାନେ ଯେଉଁ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟିଂ ମେସିନ ରେ ସୁଇଚ ଦବାଇବେ ତାଙ୍କର ମୂଲ୍ୟବାନ ଭୋଟ ଟି ସେହି ପ୍ରାର୍ଥୀ ହିଁ ପାଇବେ । ବିଧାନସଭା ଉପ ନିର୍ବାଚନ ସଂପୂର୍ଣ୍ଣ ସ୍ବଚ୍ଛତା ଓ ପାରଦର୍ଶିତା ସହିତ ଅନୁଷ୍ଠିତ ହେବ ।

