ସିନାପାଲି ରେ କୁଷ୍ଠ ରୋଗ ନିରାକରଣ ପାଇଁ ଚିହ୍ନଟ ଶିବିର ସଚେତନତା ସହ ଜିଲ୍ଲା ବ୍ୟାପୀ ଅଭିଯାନ ଜୋରଦାର
Thursday, November 27, 2025
0
ସିନାପାଲି, ୨୭/୧୧ (ପରମେଶ୍ୱର ମେହେର) : ନୂଆପଡା ଜିଲ୍ଲାରେ ୧୭ ନଭେମ୍ବର୍ ଠାରୁ ଆରମ୍ଭ ହୋଇଥିବା ଜିଲ୍ଲା ବ୍ୟାପୀ କୁଷ୍ଠ ରୋଗ ନିରାକରଣ ଅଭିଯାନ ୩୦ ନଭେମ୍ବର୍ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ, ସିନାପାଲି ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସିନାପାଲି ତଦାରଖରେ ଟିମନପୁର, ରାଣିମୁଣ୍ଡା, ଗୋବିନ୍ଦପୁର, ଗଡ଼ରାମାଳ, ଛୋଟ ଡର୍ଲିପଡ଼ା, କୁଳିଆଡୋଙ୍ଗରୀ ଓ ମହଗାଁରେ କୁଷ୍ଠ ରୋଗୀ ଚିହ୍ନଟ ପାଇଁ ବିଶେଷ ଶିବିର ହୋଇଥିଲା । ଏହି ଶିବିରଗୁଡିକରେ ସନ୍ଦେହ ଥିବା ଲୋକଙ୍କୁ ପରୀକ୍ଷା କରାଯାଇଥିଲା ।କାର୍ଯ୍ୟକ୍ରମର ନିରୀକ୍ଷଣ ପାଇଁ ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ତନ୍ମୟ ତ୍ରିପାଠୀ ଏବଂ ଡିଏଲସି ଅନିତା ସାହୁ ଉପସ୍ଥିତ ରହିଥିଲେ । ସେମାନେ ଶିବିରଗୁଡିକରେ ସନ୍ଦେହ ଥିବା ଲୋକଙ୍କ ପରୀକ୍ଷା କରି ୮ ଜଣ କୁଷ୍ଠ ରୋଗୀଙ୍କୁ ଚିହ୍ନଟ କରିଥିଲେ । ଚିହ୍ନଟ ହେଉଥିବା ରୋଗୀମାନଙ୍କୁ ତତ୍କ୍ଷଣାତ୍ ଆବଶ୍ୟକ ଔଷଧ ପ୍ରଦାନ କରାଯାଇଥିଲା । ସିନାପାଲିର ମହଗାଁ ଉଚ୍ଚ ବିଦ୍ୟାଳୟ ଏବଂ ଛୋଟ ଦର୍ଲିପଡ଼ା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଡାକ୍ତର ତନ୍ମୟ ତ୍ରିପାଠୀ ଛାତ୍ରଛାତ୍ରୀଙ୍କୁ କୁଷ୍ଠ ରୋଗ, ଏହାର ଲକ୍ଷଣ, ଚିକିତ୍ସା ଏବଂ ନିରାକରଣ ବିଷୟରେ ସଚେତନତା କରିଥିଲେ । ସ୍ୱାସ୍ଥ୍ୟବିଭାଗ ଅନୁସାରେ, ଏହି ଅଭିଯାନ ମାଧ୍ୟମରେ ଜିଲ୍ଲାରୁ କୁଷ୍ଠ ରୋଗକୁ ଶୀଘ୍ର ନିରାକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।

