ସିନାପାଲି,(ପରମେଶ୍ୱର ମେହେର)
ନୂଆପଡ଼ା ଜିଲ୍ଲାର ସିନାପାଲି କଲେଜ ନିକଟସ୍ଥ ମଣ୍ଡିପଡ଼ିଆ ମାଠରେ ବ୍ଲକ୍ ଲେଭେଲ ସ୍ପୋର୍ଟସ କ୍ଲବ୍, କାପସି–ସିନାପାଲିଙ୍କ ମିଳିତ ଆୟୋଜନରେ ୬ଷ୍ଠ ମାଁ ଗଢ଼ିଆଣି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉତ୍ସବମୟ ପରିବେଶରେ ଆରମ୍ଭ ହୋଇଛି । ଉଦ୍ଘାଟନୀ ଅବସରରେ ଶିକ୍ଷକ ସଂଘ ସଭାପତି ପ୍ରସନ୍ନ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ସୁଦର୍ଶନ ଭୋଇ, ନିକୁଞ୍ଜ ବିହାରୀ ସା, ଅରୁଣ ଗଡ଼ତିଆ, ଆୟୁବ ଖାଁ, ସ୍ବରୂପ ଯୋଶୀ (ଶିକ୍ଷକମାନେ), ଏବଂ ଜୟ ଜଗନ୍ନାଥ ସାମ୍ବାଦିକ ସଂଘ ସଭାପତି ବିଘ୍ନରାଜ ତାଣ୍ଡି, ଧର୍ମେନ୍ଦ୍ର କୁମାର ଗହିର ମଞ୍ଚାସିନ ହୋଇଥିଲେ । ପ୍ରଥମେ ଗ୍ରାମ ଝାଙ୍କର ନରୋତ୍ତମ ମାଝୀ ଭୂମିପୂଜନ କରି ନଡ଼ିଆ ଭାଙ୍ଗି ଆରମ୍ଭ କରିଥିଲେ । ପରେ ମୁଖ୍ୟ ଅତିଥି ଫିତା କାଟି ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିଲେ । ପ୍ରଥମ ଦିନ ୩ଟି ରୋମାଞ୍ଚକ ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍: ଭରୁଆମୁଣ୍ଡା ଓ ରାନୀମୁଣ୍ଡା ମଧ୍ୟରେ ହୋଇଥିଲା, ଯେଉଁଠାରେ ରାନୀମୁଣ୍ଡା ୧–୦ ଗୋଲରେ ବିଜୟ ହାସଲ କରିଲା । ଦ୍ୱିତୀୟ ମ୍ୟାଚ୍: ବରଗାଁ ଓ ବର୍ତନସିଲ ମଧ୍ୟରେ ହୋଇଥିଲା, ପେନାଲ୍ଟି ଶୁଟ୍-ଆଉଟ୍ରେ ବରଗାଁ ଦଳ ୩–୨ ଗୋଲରେ ବିଜୟୀ ହେଲା । ତୃତୀୟ ମ୍ୟାଚ୍: ମହୁଲପଡ଼ା ଓ ବିନୋପୁର ମଧ୍ୟରେ ହୋଇଥିଲା, ବିନୋପୁର ଦଳ ପେନାଲ୍ଟି ଶୁଟ୍ ଆଉଟ୍ରେ ୬–୫ ଗୋଲରେ ଜିତିଲା । ଟୁର୍ଣ୍ଣାମେଣ୍ଟର ସଫଳ ପରିଚାଳନାରେ ଡୋଳାମଣି ସାଗର, ଡଗର ଲୋହାର, ତରୁଣ ମାଝୀ, ଯୁଗେଶ୍ବର ସା, ବିଦ୍ୟାଧର ହଂସ, ଶ୍ରୀକାନ୍ତି ରଣା, ହରେକୃଷ୍ଣ ମାଝୀ, ପିଂକୁ ମାଝୀ, ଲଳିତ, ପୀଙ୍କୁ, ଲାଲ, ତପନ, ଆତଙ୍କ, ଯତୀନ, ଉଆଁସୁ ଯୋଗେନ୍ଦ୍ର ଆଦି ସଭାଗୀ ହୋଇଥିଲେ । ଖେଳ ପରିଚାଳନାରେ ବିଭୀଷଣ ମାର୍ତି ଓ ସନ୍ଦିପ୍ତ କୁମାର ଯୋଶୀ ମୁଖ୍ୟ ପରିଚାଳକ ଭାବେ ଥିଲେ, ସହଯୋଗୀ ଭାବେ ଅଜୟ ବାଗ ଓ ଜଗା ସା କାର୍ଯ୍ୟ ତୁଲାଇଥିଲେ । ଉକ୍ତ ମ୍ୟାଚମାନଙ୍କରେ ଶିକ୍ଷକ ନରେଶ କୁମାର ମାଝୀ ଭାଷ୍ୟକାର ଭାବେ ଦାୟିତ୍ୱ ନିଭାଇଥିଲେ । ସିନାପାଲି ଅଞ୍ଚଳରେ ଏହି ଟୁର୍ଣ୍ଣାମେଣ୍ଟ ଏକ ପରମ୍ପରାଗତ ଖେଳ ଉତ୍ସବରେ ପରିଣତ ହୋଇଥିବା ବେଳେ, ଦିନକୁ ଦିନ ଯୁବ ଖେଳାଳିମାନଙ୍କର ଉତ୍ସାହ ଓ ସାମୂହିକ ସହଭାଗିତା ଦେଖାଯାଉଛି ।

