ମମିତା ମେହେର ହତ୍ୟା ମାମଲା : ଆଜି ବଲାଙ୍ଗିର ଓ କଳାହାଣ୍ଡି ଆହିବେ ୧୫ ଜଣିଆ ଦଳ


କଣ୍ଟାବାଞ୍ଜି, (ଆଜତକ୍ ଓଡ଼ିଶା): ମମିତା ହତ୍ୟାକାଣ୍ଡ ସମ୍ପର୍କରେ ସତ୍ୟତା ଜାଣିବା ପାଇଁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ୧୫ ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆସନ୍ତାକାଲି ବଲାଙ୍ଗୀର ଓ କଳାହାଣ୍ଡି ଜିଲା ଗସ୍ତ କରିବ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ସେ କହିଛନ୍ତି, ବିଜେପି ପ୍ରତିନିଧି ଦଳ ଘଟଣାସ୍ଥଳକୁ ଯିବା ସହ ମୃତ ମମିତାଙ୍କ ପରିବାରବର୍ଗଙ୍କୁ ସାକ୍ଷାତ କରି ବିସ୍ତୃତ ଆଲୋଚନା କରିବ । ପୁଲିସ ତଦନ୍ତ ଆଳରେ ସମସ୍ତ ତଥ୍ୟ ପ୍ରମାଣକୁ ନଷ୍ଟ କରି ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ଖସାଇ ଦେବାର ପୂର୍ଣ୍ଣ ଉଦ୍ୟମ କରୁଛି । ପୁଲିସର ନିରପେକ୍ଷତା ଉପରେ ସନ୍ଦେହ ଦୃଢ଼ୀଭୂତ ହୋଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ବିଜେପି ପ୍ରତିନିଧୂ ଦଳରେ ବରିଷ୍ଠ ନେତା ତଥା ପୂର୍ବତନ ପୁଲିସ ମହାନିର୍ଦେଶକ ପ୍ରକାଶ ମିଶ୍ର, ବରିଷ୍ଠ ଆଇନଜୀବୀ ତଥା ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି, ସାଂସଦ ସଙ୍ଗୀତ ସିଂହଦେଓ, ବରିଷ୍ଠ ନେତା କେ.ଭି ସିଂହଦେଓ, ବିଧାୟକ ଡ. ମୁକେଶ ମହାଲିଙ୍ଗ, ଶଙ୍କର ଓରାମ, ନାଉରୀ ନାଏକ, ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ସାଧାରଣ ସମ୍ପାଦକ ରବି ନାଏକ, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀ, ରାଜ୍ୟ ମୁଖପାତ୍ର ଡ ଯତୀନ ମହାନ୍ତି, ଠାକୁର ରଣଜିତ୍ ଦାସ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ସମେତ ବଲାଙ୍ଗୀର ଜିଲା ସଭାପତି ଶିବାଜୀ ମହାନ୍ତି ଏବଂ କଳାହାଣ୍ଡି ଜିଲା ସଭାପତି ଦେବେନ୍ଦ୍ର ମହାନ୍ତି ପ୍ରମୁଖ ସାମିଲ ଅଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ପବିତ୍ର ଦାସ ଏବଂ ମିଡ଼ିଆ ବିଭାଗ ସହ ପ୍ରମୁଖ ସୁଜିତ୍ ଦାସ ଉପସ୍ଥିତ ଥିଲେ।

Post a Comment

Previous Post Next Post