ସୂଚନା ଅନୁଯାୟୀ, ଗତ ସୋମବାର ଦିନ ଅରଖପୁର ଶୁଣ୍ଢୀବାଙ୍କ ନିକଟରେ ଅରଖପୁର ଗ୍ରାମର ସାଗର ବେହେରା ନାମକ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଥିବା ଘଟଣା ପ୍ରକାଶ ପାଇଥିଲା। ଘଟଣାକୁ ନେଇ ଆହତ ଯୁବକ ପୋଲିସଙ୍କୁ ଲିଖିତ ଅଭିଯୋଗ ଦେଇଥିବାରୁ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତ ସମୟରେ ଘଟଣାର ଖୋଲାତାଡ଼ କରିବାକୁ ଯାଇ ପୋଲିସ ପ୍ରକୃତ ଘଟଣା ବିଷୟରେ ଜାଣି ଆଶ୍ଚର୍ଯ୍ୟଚକିତ ହୋଇଥିଲା। ଅଭିଯୋଗକାରୀ ନିଜେ ଅଭିଯୁକ୍ତ ଥିବା ବେଳେ ବ୍ରହ୍ମପୁର ନିକଟରେ ଗୁଳିମାଡ଼ ଘଟିଥିଲେ ମଧ୍ୟ ଅରଖପୁର ଶୁଣ୍ଢୀବାଙ୍କ ନିକଟରେ ଘଟିଥିବା ବୋଲି ପୋଲିସକୁ ଭୁଲ୍ ସୂଚନା ଦେଇଥିଲେ।
ଘଟଣାରେ ପୋଲିସ ତଦନ୍ତ କରି ଦୁଇଜଣ ସହଯୋଗୀଙ୍କୁ ଗିରଫ କରିବା ସହ ଗୋଟିଏ ବାଇକ ଓ ମୋବାଇଲ ଫୋନ ଜବତ କରିଛି। ମାଷ୍ଟରମାଇଣ୍ଡ ଭାବେ ଚିହ୍ନଟ ହୋଇଥିବା ଆହତ ଯୁବକ ଚିକିତ୍ସାଧୀନ ଥିବା ବେଳେ ପୋଲିସ ତାଙ୍କୁ ହେଫଜାତରେ ରଖିଛି।
ଏହି ଘଟଣାରେ ଛଅରୁ ଅଧିକ ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ଗିରଫ ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ମଧ୍ୟ ବିଭିନ୍ନ ଅପରାଧିକ ମାମଲା ରହିଛି। ଏମାନେ ଆଉ ଗୋଟିଏ ଅପରାଧ ଘଟାଇବା ପାଇଁ ପ୍ରସ୍ତୁତି ନେଉଥିବା ବେଳେ ଅସାବଧାନତାବଶତଃ ଗୁଳି ଚାଲିଯାଇଥିବା ପୁରୁଷୋତ୍ତମପୁର ଏସ୍ଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

