ଜିଲ୍ଲାର ପ୍ରତି ପଞ୍ଚାୟତରେ ଆରମ୍ଭ ହେବ ଆଦର୍ଶ କୃଷି ଗ୍ରାମ - ଜିଲ୍ଲାପାଳ
ନୂଆପଡ଼ା ୧୧/୧୨ ; ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କୃଷି ବିଭାଗ କାର୍ଯ୍ୟାବଳୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ ସମସ୍ତଙ୍କୁ ସ୍ଵାଗତ କରି ବିଭାଗର କାର୍ଯ୍ୟ ଖସଡ଼ା ଉପସ୍ଥାପନ କରିଥିଲେ । ଆଜିର ବୈଠକରେ ଜିଲ୍ଲାରେ କୃଷି ଓ କୃଷକଙ୍କ ଉନ୍ନତି ଦିଗରେ ଜିଲ୍ଲା ପ୍ରଶାସନ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତ ସଦର ମହକୁମା ଗ୍ରାମକୁ ଆଦର୍ଶ କୃଷି ଗ୍ରାମରେ ପରିଣତ କରିବାକୁ ଆଜି ଜିଲ୍ଲାପାଳ ଘୋଷଣା କରିଛନ୍ତି । ସେ କହିଲେ ଯେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ସମସ୍ତ ୧୩୧ ଗ୍ରାମ ପଞ୍ଚାୟତ ସଦର ମହକୁମା ଗ୍ରାମକୁ ଆଦର୍ଶ କୃଷି ଗ୍ରାମ ବା model agriculture village ଭାବରେ ଗ୍ରହଣ କରାଯିବା । ଏହି ଗ୍ରାମଗୁଡିକରେ ସମସ୍ତ କୃଷି ଓ ଆନୁସଙ୍ଗିକ ବିଭାଗ ସମ୍ବନ୍ଧିୟ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଯିବ । ଏହି ଗ୍ରାମଗୁଡିକରେ ରାସାୟନିକ ସାର ବଦଳରେ ଜୈବିକ ସାର ବ୍ୟବହାର କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । କୃଷି ଏବଂ ସଂଲଗ୍ନ ବିଭାଗକୁ ଆଦର୍ଶ କୃଷି ଗ୍ରାମ ପାଇଁ ଏସଓପି ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଦର୍ଶ ଗ୍ରାମ ଗୁଡ଼ିକୁ ଅନୁସରଣ କରି ଅନ୍ୟ ଗ୍ରାମ ଗୁଡ଼ିକ ମଧ୍ୟ ପର୍ଯ୍ୟାୟ କ୍ରମେ ସମୃଦ୍ଧ ହୋଇ ପାରିବେ । ଏହି ଅବସରରେ, କୃଷକ ରେଜିଷ୍ଟ୍ରି, ସିଏମ କିଷାନ, ପିଏମ କିଷାନ ହିତାଧୀକାରୀ ଚୟନ, ଫସଲ କାଟିବା ଇତ୍ୟାଦି ସମସ୍ତ ଯୋଜନାର ସମୀକ୍ଷା କରାଯାଇଛି । ଏହି ସମୀକ୍ଷା ବୈଠକରେ ଯୁନାନି ଗ୍ରାମର ଜଣେ ସଫଳ ଚାଷୀ ଲୋକନାଥ ଖରସେଲଙ୍କୁ ଜିଲ୍ଲାପାଳ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ଖରସେଲ ଧାନ ,କପା, ମୁଗ, ବିରି ଇତ୍ୟାଦି ସମନ୍ଵିତ ଚାଷ କରି ନିଜ ଜମିରୁ ବାର୍ଷିକ ୪/୫ ଲକ୍ଷ ଟଙ୍କା ରୋଜଗାର କରି ପାରୁଛନ୍ତି । ସେ ଅନ୍ୟ ଚାଷୀ ମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି । ଏହି ସମୀକ୍ଷା ବୈଠକରେ ଏଡିଏଓ, ଖରିଆର ସୋମନାଥ ମହାପାତ୍ର, ବିଏଓ, ନୂଆପଡା, ବୋଡେନ, ଖରିଆର, ସିନାପାଲି ପ୍ରମୁଖ ଏବଂ ଅନ୍ୟ କୃଷି ଅଧିକାରୀମାନେ ଯୋଗ ଦେଇଥିଲେ । ସମନ୍ଵିତ କୃଷି ମାଧ୍ୟମରେ କୃଷକ ତଥା ପ୍ରବାସୀ ଶ୍ରମିକ ମାନଙ୍କ ଜୀବନର ମାନ ଉନ୍ନତ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଛନ୍ତି ।

