ନୂଆପଡା ୦୬/୧୧ : ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ଆଗରୁ ତାଲିମ୍ ଗ୍ରହଣ କରିପାରି ନ ଥିବା ଏବଂ ଅସୁସ୍ଥ ଥିବା ପ୍ରିଜାଇଡିଂ ଓ ପୋଲିଂ ଅଫିସର ମାନଙ୍କୁ ଆଜି ଦ୍ୱିତୀୟ ପର୍ଯ୍ୟାୟ ଟ୍ରେନିଂ ପ୍ରଦାନ କରାଯାଇଥିଲା । ସ୍ଥାନୀୟ ସଦଭାବନା ସମ୍ମିଳନୀ କକ୍ଷରେ ଏହି ତାଲିମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଏ ପି ଡି କ୍ଷମାନିଧି ଭୋଇ, ଜିଲ୍ଲା ମଙ୍ଗଳ ଅଧିକାରୀ ଦୀପ୍ତିମନ୍ତ ଭୋଇ, ପ୍ରଭୁଦତ୍ତ ବାବୁ ପ୍ରମୁଖ ପ୍ରିଯାଇଡିଂ ଓ ପୋଲିଂ ଅଧିକାରୀ ମାନଙ୍କୁ ଇ ଭି ଏମ୍ , କଣ୍ଟ୍ରୋଲ ୟୁନିଟ ଓ ଭି ଭି ପାଟ କାର୍ଯ୍ୟକାରିତା ସମ୍ବନ୍ଧରେ ବିଶଦ ଭାବରେ ତାଲିମ୍ ପ୍ରଦାନ କରିଥିଲେ । ଏନଆଇସି ଡିଆଇଓ ବିନୟ ତିୱାରୀ ECINET, PRO App ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ଜିଲ୍ଲାପାଳ ମଧୁସୁଦନ ଦାଶ ତାଲିମ୍ କେନ୍ଦ୍ରରେ ଉପସ୍ଥିତ ରହି ଅଧିକାରୀ ମାନଙ୍କୁ ମତଦାନ ଦିବସରେ ଆବଶ୍ୟକ ସମସ୍ତ ତଥ୍ୟ ସମ୍ବନ୍ଧରେ ବ୍ୟବହାରିକ ପ୍ରଶିକ୍ଷଣ ଦେଇଥିଲେ । ସେ ଅଧିକାରୀ ମାନଙ୍କ ଦ୍ଵାରା ଆଗତ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ । ତାଲିମ ସମୟରେ ପ୍ରିଜାଇଡିଂ ଅଫିସର ମାନେ ୧୦୦ଟି ମକ୍ ଭୋଟ ଦେଇ ଏବଂ ଏହାକୁ VVPAT ସ୍ଲିପ୍ ସହିତ ମିଳାଇ ମକ୍ ଡ୍ରିଲ୍ କରିଥିଲେ ।
ମକ୍ ପୋଲ୍ ସମୟରେ ଭୋଟିଂ ମେସିନ୍ ଓ ଭିଭିପାଟ ର ତାଳ ମେଳ ସୁନିଶ୍ଚିତ ହେଲା । ନିର୍ବାଚନ ସମୟରେ ଯଦି କୌଣସି ମେସିନ୍ ରେ ଯାନ୍ତ୍ରିକ ତ୍ରୁଟି ହୁଏ ତାହେଲେ ପ୍ରିଯାଇଡିଂ ଅଫିସର୍ ସେକ୍ଟର ଅଫିସରଙ୍କୁ ଶୀଘ୍ର ଜଣାଇବେ। ଭୋଟିଂ ୟୁନିଟ୍, କଣ୍ଟ୍ରୋଲ ୟୁନିଟ ଓ ଭି ଭି ପାଟ ର ଯାନ୍ତ୍ରିକ ତ୍ରୁଟି ସୁଧାରିବା ପାଇଁ ଇଞ୍ଜିନିୟର ମାନେ ସଦା ପ୍ରସ୍ତୁତ ରହିବେ । ଜିଲ୍ଲାପାଳ କହିଛନ୍ତି ଯେ ଭୋଟିଂ ମେସିନ୍ ସବୁର ସଠିକ୍ ବ୍ୟବହାର ମତଗ୍ରହଣ ପ୍ରକ୍ରିୟାକୁ ସମ୍ପୂର୍ଣ ନିଷ୍ପକ୍ଷ ଓ ପାରଦର୍ଶୀ କରିବ। ଅଧିକାରୀ ମାନଙ୍କ ଉତ୍ସାହ ବୃଦ୍ଧି କରିବା ପାଇଁ ମଧ୍ୟାହ୍ନ ଭୋଜନ ସମୟରେ ଜିଲ୍ଲାପାଳ ସେମାନଙ୍କୁ ଖାଦ୍ୟ ପରିବେଷଣ କରିଥିଲେ । ସମର୍ପିତ ଭାବରେ ନିର୍ଭୟରେ ନିଜର ନିର୍ବାଚନ ଦାୟୀତ୍ଵ ନିର୍ବାହ କରିବାପାଇଁ ସେ ସମସ୍ତ ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଛନ୍ତି ।


