ସିନାପାଲିରେ ଶ୍ରୀଜୀଉଙ୍କ ବାହୁଡ଼ାଯାତ୍ରା ଅନୁଷ୍ଠିତ


ସିନାପାଲି ୨୯/୬(ପ୍ରମେଶ୍ୱର ମେହେର) ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ସିନାପାଲିରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ବୁଧବାର ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳୁ ନେହେରୁ ମଣ୍ତପ ସ୍ଥିତ ମାଉସି ମାଁ ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜାପାଠ ଆରମ୍ଭ ହେବା ସହ ଲୋକଙ୍କ ଭିଡ଼ ଜମିବା ଆରମ୍ଭ ହୋଇଥିଲା । ଅପରାହ୍ଣରେ ଶ୍ରୀଜୀଉଙ୍କ ପହଣ୍ତି ବିଜେ କରାଯାଇ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି ବୈଶମ୍ପାୟନ ମେହେରଙ୍କ ଦ୍ୱାରା ତିନି ରଥରେ ଛେରାପହରା ପରେ ରଥଟଣା ଆରମ୍ଭ ହୋଇଥିଲା । ପାରମ୍ପରିକ ସଂକିର୍ତ୍ତନ, ସଂପ୍ରଦା, ଘଣ୍ଟ ବାଦ୍ଯ ସହ ଶ୍ରଦ୍ଧାଳୁଙ୍କ ଜୟଜଗନ୍ନାଥ ଧ୍ୱନୀ ଓ ହୁଳହୁଳିରେ ସାରା ସହର ଦୁଳୁକି ଯାଇଥିଲା । ରଥଯାତ୍ରା ଭଳି ବାହୁଡ଼ାରେ ମଧ୍ଯ ସୁଭଦ୍ରାଙ୍କ ଦେବଦଳନ ରଥକୁ କେବଳ ମହିଳାମାନେ ଟାଣି ଥିଲେ । ସଂଧ୍ଯା ସୁଦ୍ଧା ଶ୍ରୀଜୀଉ ମାନେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପହଂଚିଥିଲେ । ଆସନ୍ତାକାଲି ରଥାରୂଢ଼ ଶ୍ରୀଜୀଉଙ୍କ ସୁନାବେଶ, ଅଧରପଣା ନୀତି ପରେ ନିଲାଦ୍ରୀ ବିଜେ କରାଯିବ ବୋଲି ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ତରଫରୁ ସୂଚନା ଦିଆଯାଇଛି । ପ୍ରବଳ ଭିଡ଼ ଦୃଷ୍ଟିରୁ ମନ୍ଦିର କମିଟି ତରଫରୁ ବିଭିନ୍ନ ସ୍ଥାନରେ ପାନୀୟ ଜଳ, ପ୍ରାଥମିକ ଚିକିତ୍ସା ଆଦିର ବ୍ଯବସ୍ଥା କରାଯାଇଥିଲା ା ସେହିଭଳି ଶାନ୍ତିଶୃଙ୍ଖଳା ରକ୍ଷା ଓ ଯେକୌଣସି ଅଘଟଣକୁ ଏଡ଼ାଇବା ପାଇଁ ସ୍ଥାନୀୟ ପୋଲିସ ଓ ଅଗ୍ନୀଶମ ବିଭାଗ ମଧ୍ଯ ମୁତୟନ ରହିଥିଲେ ା ଏଥିସହ ଏହି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣପଡ଼ା, ପତିଏଲପଡ଼ା, ହାତୀବନ୍ଧା କେନ୍ଦୁମୁଣ୍ତା , ଟିମନପୁର , ସିଙ୍ଗଝର, ବରଗାଁ, ଚଳନା, ଗଣ୍ଡାବାହାଳି,ଗୋର୍ଲା, ସାଗୁନଭାଡ଼ି, ଅରସାପଡ଼ା, ଗମ୍ଭାରିଗୁଡ଼ା, ଜାମଗାଁ ଆଦି ଗ୍ରାମରେ ମଧ୍ଯ ଶାନ୍ତିଶୃଙ୍ଖଳା ସହ ବାହୁଡ଼ାଯାତ୍ରା ସଂପନ୍ନ ହୋଇଥିବା ବେଳେ ସବୁଠି ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲିକ୍ଷିତ ହୋଇଛି ।

Post a Comment

Previous Post Next Post