କଣ୍ଟାବାଞ୍ଜି, (ଆଜତକ୍ ଓଡ଼ିଶା): ବଲାଙ୍ଗୀରରେ ମଧ୍ୟାହ୍ନ ଭୋଜନ ଖାଦ୍ୟ ସାମଗ୍ରୀ ପରିବହନ ସଂକ୍ରାନ୍ତୀୟ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତା ଅଭିଯୋଗ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଟେଣ୍ଡରରେ ରଖାଯାଇଥିବା ସର୍ତ୍ତ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ସୁହାଇବ ଓ ଅନ୍ୟମାନେ ଏଥିରେ ଅଂଶ ଗ୍ରହଣ କରିବାରୁ ବଞ୍ଚିତ ହେବେ । ଏହା ଏକ ପ୍ରକାର ଟେଣ୍ଡର ଫିକ୍ସିଂ ବୋଲି ଦର୍ଶାଇ ଆବେଦନକାରୀ କ୍ରାଇମବ୍ରାଞ୍ଚକୁ ତଦନ୍ତ ପାଇଁ ଦାୟିତ୍ବ ଦିଆଯାଉ ବୋଲି ନିବେଦନ କରିଛନ୍ତି। ଲିମାଇଚରଣ ମହତ (ରୋହନ ମହତ) ଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ ଆରଆରସି ତଥା ଡିଆରସି ଗୋଡାଉନରୁ ସ୍କୁଲ ଗୁଡିକୁ ମଧ୍ୟାହ୍ନ ଭୋଜନ ପରିବହନ ପାଇଁ ଗତ ଏପ୍ରିଲ ୨୧ରେ ଟେଣ୍ଡର ଆହ୍ବାନ କରିଥିଲେ ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ। ଏହି ବିଜ୍ଞପ୍ତିରେ ଟେଣ୍ଡର ପାଇଁ ବ୍ୟାଙ୍କ ଗ୍ୟାରେଣ୍ଟି ଅର୍ଥ ୧ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି।
ଜଗତସିଂହପୁର, ଖୋର୍ଦ୍ଧା, ଭଦ୍ରକ, ଯାଜପୁରରେ ସମାନ ଧରଣର ଟେଣ୍ଡର ବିଜ୍ଞପ୍ତିରେ ବ୍ୟାଙ୍କ ଗ୍ୟାରେଣ୍ଟି ରାଶି ଯଥାକ୍ରମେ ୪ ଲକ୍ଷ, ୧୫ ଲକ୍ଷ, ୨୦ ଲକ୍ଷ, ୨୦ ଲକ୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ବଲାଙ୍ଗୀରରେ କଣ ପାଇଁ ଏହି ରାଶି ୧ କୋଟି ଟଙ୍କା ରଖା ଯାଇଛି ତାହା ଜଣା ପଡୁ ନାହିଁ। ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପାଇଁ ଏଭଳି ବିଚିତ୍ର ସର୍ତ୍ତ ରଖାଯାଇଛି। ଏପରି ଭାବେ ଟେଣ୍ଡର ଫିକ୍ସିଂ କରାଯାଉଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ହେଲେ ସତ ଜଣା ପଡିବ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଜଷ୍ଟିସ ଏସ.କେ.ମିଶ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି ଅନ୍ୟ ଖଣ୍ଡପୀଠରେ କରିବା ପାଇଁ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଶିଷ ମିଶ୍ର ମାମଲା ପରିଚାଳନା କରୁଛନ୍ତି।
Post a Comment