ଗ୍ରାମ୍ୟ ରାସ୍ତା ଜଳ ମୟ,ଯାତାୟତରେ ସମସ୍ୟା


କୋମନା (ବିରବଲ ପ୍ରଧାନ) ନୁଆପଡ଼ା ଜିଲ୍ଲା କୋମନ ବ୍ଲକ ଅଧିନସ୍ଥ ଜଡ଼ାମୁଣ୍ଡା ପଞ୍ଚାୟତର ଜଡ଼ା ମୁଣ୍ଡା ଗ୍ରାମ୍ୟ ରାସ୍ତା ଟିକିଏ ବର୍ଷା ହେଲେ ଜଳ ମୟ ହୋଇଯାଉଛି । ଘରୁ ବାହାରିଲେ ରାସ୍ତାରେ ଜମିଥିବା ପାଣିରେ ପଶି ଯାତାୟତ କରୁଛନ୍ତି । ଏହି ଗ୍ରାମ ରାସ୍ତାରେ ବହୁ ଗାଁର ଲୋକ ନିର୍ଭର କରିଥାନ୍ତି। ରାସ୍ତାଟି ଅତ୍ୟନ୍ତ ଖାଲୁଆ ହୋଇଥୁବାରୁ ‌‌ ବର୍ଷା ଦିନେ ଉକ୍ତ ରାସ୍ତାରୁ ବର୍ଷା ଜଳ ନିଷ୍କାସନ ନ ହୋଇପାରି ରାସ୍ତା ଉପରେ ଜମି ରହୁଛି । ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ଶହ ଶହ ସଂଖ୍ୟାରେ ଲୋକମାନେ ଯାତାୟତ କରୁଥିବା ବେଳେ ବହୁ ଦୁଇଚକିଆ ଓ ଚାରି ଚକିଆ ଯାନ ମଧ୍ଯ ଯାତାୟତ କରିଥାନ୍ତି । ପାଣି ଭିତରେ ପଶି ଯାତାୟତ କରୁଥିବା ଯାନବାହନ ଗୁଡ଼ିକ ଖାଲ ଖମା ରେ ପଡ଼ି ଅନେକ ସମୟରେ ଦୁର୍ଘଟଣା ଗ୍ରସ୍ତ ହେଉଛନ୍ତି । ବିଶେଷ କରି କୋମଳମତୀ ସ୍କୁଲ ଛାତ୍ର ଛାତ୍ରୀ ମାନେ ଏହି ପାଣିଭର ରାସ୍ତାରେ ଯାତାୟତ କରୁଥିଲା ବେଳେ ଏଥିରେ ପଡ଼ି ବହି ବସ୍ତାନି ଓ ପୋଷାକ ପତ୍ର ଓଦା ହେଉଥିବାର ଦେଖାଦେଇଛି । ରାସ୍ତାରେ ସବୁବେଳେ ପାଣି ଭର୍ତ୍ତି ହୋଇ ରହୁଥ‌ିବାରୁ ଏଥିରେ ବିଭିନ୍ନ ଅଳିଆ ଆବର୍ଜନା ପଡ଼ି ପଚିସଢି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଫଳରେ ମଶା, ମାଛି, ଡ଼ାଆଁସଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ବେଳେ ବେଳେ ଏହି ପାଣି ମଧ୍ୟରେ ବିଷଧର ସାପ ଗୁଡ଼ିକ ଆସି ରାସ୍ତା ଦୁଇ ପାର୍ଶ୍ୱରେ ଥିବା ଘରେ ପଶି ଯାଉଥିବାର ଦେଖାଯାଇଛି । ସବୁ ସମୟରେ ଲୋକମାନେ ଏହି ପାଣି ଭିତରେ ପଶି ଯାତାୟତ କରୁ ଥିବାରୁ ସେମାନଙ୍କୁ ଥଣ୍ଡା, ସର୍ଦ୍ଦି, ଜ୍ଵର ରେ ପୀଡ଼ିତ ହେଉଥିବା ପ୍ରକାଶ କରିଛନ୍ତି ।ରାସ୍ତା ନିର୍ମାଣ ସମୟରେ ଅତ୍ୟନ୍ତ ଖାଲୁଆ କରାଯିବା ଏବଂ ପାଣି ନିଷ୍କାସନ ର ବ୍ୟବସ୍ଥା ହୋଇନଥିବାବେଳେ ଟିକିଏ ବର୍ଷା ହେଲେ ଏଭଳି ଅବସ୍ଥା ସୃଷ୍ଟି ହେଉଛି । ରାସ୍ତାରୁ ବର୍ଷା ପାଣି ନିଷ୍କାସନ ବ୍ୟବସ୍ଥା କରିବା ନିମନ୍ତେ ବହୁବାର ଅଞ୍ଚଳବାସୀ ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଜଣାଯାଇଛି । ଭିଓ - ରାଜ୍ୟ ସରକାର ରାସ୍ତା ଘାଟର ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଥାନ୍ତି. ଗ୍ରାମ୍ୟ ରାସ୍ତାର ଉନ୍ନତି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ରହିଛି,ତେଣୁକରି ଗ୍ରାମବାସୀ ଓ ସ୍ଥାନୀୟ ଜଡ଼ାମୁଣ୍ଡା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ପ୍ରେମଶିଳା ମାଝୀ ରାସ୍ତା ନିର୍ମାଣ କରିବା ପାଇଁ ପ୍ରଶାସନକୁ ଗୁହାରି କରିଛନ୍ତି।

Post a Comment

Previous Post Next Post